ଓଡିଶାର ବିକାଶ ଉପରେ ରାଜ୍ୟ ସରକାରଙ୍କର ଗୁରୁତ୍ୱ ନାହିଁ - ଧର୍ମେନ୍ଦ୍ର
ଭୁବନେଶ୍ୱର,୨୩/୨(ସକାଳଖବର):ଓଡିଶାର ବିକାଶ ଉପରେ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟର ପ୍ରଗତୀ ତାଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କେହି ବି ପ୍ରତିନିଧି ସମୀକ୍ଷା ବୈଠକକୁ ଆସିଲେନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ହଜାରହଜାର କୋଟିଟଙ୍କାର ପ୍ରକଳ୍ପର ଅଗ୍ରଗତି ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଡାକିଥିଲେ ମଧ୍ୟ, ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ବୈଠକକୁ ଆସିନଥିଲେ । ଏହି ଅବସରରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କଲ୍ୟାଣକାରୀ ଯୋଜନା ଭିତିଭୂମି ପ୍ରକଳ୍ପର ବିଭିନ୍ନ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନାର ଆବଶ୍ୟକତା ଅଛି । ଏଥିପାଇଁ ଆଜି ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଚିଠିରେ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଆସିଲେ ନାହିଁ । ବୋଧହୁଏ ସେ ବଡ କାମରେ ବ୍ୟସ୍ତ ଥିବେ, ସମୟ ହୋଇନଥିବ । ପ୍ରଗତିରେ ଏସବୁ କାମ ଗୁଡିକର ଗୁରୁତ୍ୱ ହୁଏତ ତାଙ୍କୁ, ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀଙ୍କୁ ବୁଝାପଡୁନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଭାରତ ସରକାରଙ୍କ ଗୁଡିଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡିଶାରେ ଅହେତୁକ ବିଳମ୍ବ ହେଉଛି । ପେଟ୍ରୋଲିୟମ ବିଭାଗର ଅନେକ ପ୍ରକଳ୍ପ, ରେଲୱେ, ଏନଏଚଆଇ, ନାଲକୋ,ଏନଟିପିସି, ଏମସିଏଲ ଅନେକ ଗୁଡିଏ ପ୍ରକଳ୍ପ ପାଇଁ ଟଙ୍କା ଥିଲେ ମଧ୍ୟ ଏହି କାମ ରାଜ୍ୟ ସରକାରଙ୍କ ଅସହଯୋଗ ହେତୁ ଆଗେଇ ପାରୁନାହିଁ ।
ଆଜି ଏହି ସମୀକ୍ଷା ବୈଠକ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୀର୍ଘସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ସମୀକ୍ଷା ବୈଠକକୁ ଆସିନଥିଲେ ।