ସବୁ ବିଭାଗକୁ ଅର୍ଥ ବିଭାଗର ଚିଠି, କାହିଁକି ଜାଣନ୍ତୁ

Oct 7, 2021 - 09:11
 64
ସବୁ ବିଭାଗକୁ ଅର୍ଥ ବିଭାଗର ଚିଠି, କାହିଁକି ଜାଣନ୍ତୁ
ଭୁବନେଶ୍ବର: ଆରମ୍ଭ ହୋଇଛି ବଜେଟ୍ ପ୍ରସ୍ତୁତି । ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଲାଗି ପ୍ରସ୍ତୁତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ବିଭାଗର ମତାମତ ଲୋଡ଼ିଛନ୍ତି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ । ରାଜ୍ୟର ପ୍ରାଥମିକତା ଓ ଏସଡିଜି ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରଗୁଡିକୁ ବଜେଟ୍ ପ୍ରସ୍ତୁତି ସମୟରେ ପ୍ରାଥମିକତା ଦେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଶେଷକରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଗୁଡ଼ିକରେ ମିଳୁଥିବା ଅର୍ଥକୁ ଦୃଷ୍ଟିରେ ରଖି ସବୁ ବିଭାଗ ବଜେଟ୍ ପ୍ରସ୍ତୁତି କରିବା ଉପରେ ଗୁରୁତ୍ବ ଦିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦନର ୨୫ ପ୍ରତିଶତ ଛୁଇଁବ । ୨୦୨୨-୨୩ ବଜେଟ୍‌ରେ ଏହାର ପରିମାଣ ସମାନ ରହିବ ବୋଲି ଅର୍ଥ ବିଭାଗ ଆକଳନ କରିଛି ।ତେଣୁ ରାଜ୍ୟ ଅର୍ଥ କମିଶନ ବ୍ୟୟ ବରାଦ ବାହାରେ କୌଣସି ଯୋଜନା ପାଇଁ ଅର୍ଥ ଆବଣ୍ଟନ ନକରିବାକୁ ଚିଠିରେ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାର ଏବେ ୫ ବର୍ଷିଆ ଯୋଜନାରେ ପ୍ରାଥମିକତା ଦେଉଥିବା କ୍ଷେତ୍ର ଗୁଡ଼ିକ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟ ବରାଦ କରିବାକୁ ମଧ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବଜେଟରେ ପ୍ରାଥମିକ ସ୍ବାସ୍ଥ୍ୟ, କେନ୍ଦ୍ରସ୍ତରରେ ଆଧୁନିକ ଭିତ୍ତିଭୂମି ସୁବିଧା, ରାଜ୍ୟରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ସୁବିଧା, ଗ୍ରାମାଞ୍ଚଳରେ ପ୍ରାଥମିକ ସ୍କୁଲରେ ଆଇଟି ଭିତ୍ତିକ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଆଦି ମାଧ୍ୟମରେ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ୧ ଲକ୍ଷ ୭୨ ହଜାର କୋଟିରେ ବଜେଟ୍ ପହଞ୍ଚିଛି ।