ଶ୍ରୀଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତି, ୩ଦିନ ପରେ ତୁଟିଲା ସେବାୟତ ବିବାଦ
ପୁରୁଣା ଭୁବନେଶ୍ବର: ତିନିଦିନ ପରେ ସ୍ୱାଭାବିକ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ। ଭୁବନେଶ୍ୱର ସର୍କିଟ ହାଉସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ନୀତି ବିଭ୍ରାଟକୁ ନେଇ ହୋଇଥିବା କଳହର ସମାଧାନ କରାଯାଇଛି।ବୈଠକରେ ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ କଥା ମାନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କରିବାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ଥରେ ମିଟିଂ କରି ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ନୀତି ବିଭ୍ରାଟଜନିତ ସେବାୟତ ବିବାଦ ତୁଟିନପାରିବାରୁ ତିନି ଦିନ ହେଲା ଶ୍ରୀଲିଙ୍ଗରାଜ ମହାପ୍ରଭୁ ଉପବାସରେ ରହିଛନ୍ତି। ରବିବାର ଦିନ ଭୋଗ ମଣ୍ଡପରେ ପୂଜା ବେଳେ ହୋଇଥିବା ନୀତି ମାରା ଓ ଏହାକୁ ନେଇ ସେବାୟତଙ୍କ ଭିତରେ ଉପୁଜିଥିବା ବିବାଦ ସୋମବାର ମଧ୍ୟ ସମାଧାନ ହୋଇପାରିନଥିଲା। ଫଳରେ ନୂଆ ବର୍ଷ ଆରମ୍ଭରୁ ମନ୍ଦିରରେ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ପ୍ରଭୁ ତିନିଦିନ ହେଲା ଉପବାସରେ ରହିବାକୁ ବାଧ୍ୟ ହୋଇଥିଲେ। ମନ୍ଦିର ପ୍ରଶାସନ ଏହି ବିବାଦର ଆଶୁ ସମାଧାନ କରିବା ଦିଗରେ ବିଫଳ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।
ସୋମବାର ଦିନ ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତ ଗୋଷ୍ଠୀଙ୍କୁ ବୈଠକ ପାଇଁ ଡାକିଥିଲେ। ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁ, ସଭାପତି ଅଞ୍ଚଳ ବଡୁ, ମନ୍ଦିର ନୀତି ସୁପରଭାଇଜର ରାଜ କିଶୋର ମହାପାତ୍ର ଓ ଚର୍ଚେଇତ ଶୁଭରାଜ ବଟୁ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅନୁପସ୍ଥିତି କୌଣସି ସମାଧାନର ବାଟ ବାହାର କରିପାରିନଥିଲା।