ଶିକ୍ଷକଙ୍କ ଦରମାରୁ ଅସୁଲି ଉପରେ ହାଇକୋର୍ଟଙ୍କ ଅଙ୍କୁଶ

Jun 23, 2018 - 14:56
 189
ଶିକ୍ଷକଙ୍କ ଦରମାରୁ ଅସୁଲି ଉପରେ ହାଇକୋର୍ଟଙ୍କ ଅଙ୍କୁଶ
କଟକ,୨୩ ।୬(ସକାଳଖବର): ଶିକ୍ଷକଙ୍କ ବର୍ଦ୍ଧିତ ଦରମା ନିଷ୍ପତ୍ତି ପ୍ରତ୍ୟାହାର ପରେ ଏ ବାବଦ ଅର୍ଥ ଅସୁଲି ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କରିଥିବା ନୋଟିସ୍ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ହାଇକୋର୍ଟ ଜଷ୍ଟିସ ଏସ୍.ଏନ୍ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଗଣଶିକ୍ଷା ସଚିବ ଓ ଗଞ୍ଜାମ ଡିଇଓଙ୍କୁ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପକ୍ଷରୁ ଆଇନଜୀବୀ ରଣଜିତ ସାମଲ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ପର୍ଯ୍ୟାୟ କ୍ରମେ ବର୍ଦ୍ଧିତ ଦରମା ପ୍ରଦାନ କରାଯାଇଥିଲା । କେତେକ ଶିକ୍ଷକ ୧୯୯୧ରୁ ଏହି ବର୍ଦ୍ଧିତ ପ୍ରାପ୍ୟ ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଏହି ବର୍ଦ୍ଧିତ ଦରମା ପ୍ରତ୍ୟାହାର ହୋଇଥିଲା । ତେବେ ଆବେଦନକାରୀ ବର୍ଦ୍ଧିତ ଦରମା ବାବଦରେ ଯେତିକି ଟଙ୍କା ଅଧିକ ନେଇଥିଲେ ତାହାକୁ ତାଙ୍କ ଦରମାରୁ ଅସୁଲି କରିବା ପାଇଁ ଡିଇଓ ୨୦୧୮ ମସିହା ଜାନୁଆରି ମାସ ୨୫ତାରିଖରେ ନିଦେ୍ର୍ଧଶ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା । ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଗଞ୍ଜାମ ଜିଲ୍ଲାର ଲଙ୍ଗଳଦେଇସ୍ଥିତ ମହୁରି କଲୁଆ ହାଇସ୍କୁଲର ଅବସରପ୍ରାପ୍ତ ସହକରୀ ଶିକ୍ଷକ ବାଉରିବନ୍ଧୁ ସାହୁ ଓ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରଫୁଲ୍ଲ କୁମାର ପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।