ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ନଦୀରେ ଜଳସ୍ତର ବିପଦ ସଂକେତ ଉପରେ

Jul 14, 2022 - 04:58
 65
ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ନଦୀରେ ଜଳସ୍ତର ବିପଦ ସଂକେତ ଉପରେ
ମାଲକାନଗିରି : ୫ ଦିନ ଧରି ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ପ୍ରବଳ ବର୍ଷା ଯୋଗୁଁ ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ସୀମାନ୍ତ ଠାରୁ ଦୁଇ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଗତ ଚାରି ଦିନ ଧରି ପାଞ୍ଚ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ଓ ଆନ୍ଧ୍ରପ୍ରଦେଶ ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସୀମାନ୍ତରେ ଗତ ଚାରି ଦିନ ଧରି ଶତାଧିକ ଯାନବାହାନ ଅଟକି ରହିଛି । ଗୋଦାବରୀ ନଦୀରେ ତୃତୀୟ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ବତ୍ତର୍ମାନ ସେଠାରେ ଜଳ ସ୍ତର ୫୯ ଫୁଟ ରହିଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ଆଶଙ୍କା ରହିଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ମାଲକାନଗିରି ଜିଲ୍ଲାପାଳ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରି ବର୍ଷା ଯୋଗୁଁ ମାଲକାନଗିରି ସହରର କିଛି ଘରୋଇ ବିଦ୍ୟାଳୟକୁ ଆଜି ଛୁଟି ଘୋଷଣା କରାଯାଇଛି ।