ସାମଗ୍ରୀକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଶିକ୍ଷକମାନଙ୍କର ଭାବନାତ୍ମକ ସୁସ୍ଥତା ଉପରେ ନିର୍ଭରଶୀଳ: ଡ଼ା.ସାହାଣୀ

Jul 14, 2022 - 14:57
 88
ସାମଗ୍ରୀକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଶିକ୍ଷକମାନଙ୍କର ଭାବନାତ୍ମକ ସୁସ୍ଥତା ଉପରେ ନିର୍ଭରଶୀଳ: ଡ଼ା.ସାହାଣୀ
ଭୁବନେଶ୍ୱର,୧୪/୦୭: ଜିନ୍ଦଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିହେଭିଏରାଲ ସାଇନ୍ସର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର ପି.ସାହାଣୀ ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେଆର ଠାରେ ଭାବନାତ୍ମକ ସୁସ୍ଥତା ଓ ମାନସିକ ଚାପ ପରିଚାଳନା ଶୀର୍ଷକ ଅଧିବେଶନର ପରିଚାଳନା କରି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ କାଉଁସିଲରମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ଏହି ଅଧିବେଶନରେ ୩୦ ଟି ବିଦ୍ୟାଳୟରୁ ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ଶିକ୍ଷାବିତ୍‌ ଅଂଶଗ୍ରହଣ କରିଛନ୍ତି । ଡା. ସାହାଣୀ ଏହି ଅଧିବେଶନରେ ଏକାଗ୍ରତା, ଧ୍ୟାନ ଓ ଶାରୀରିକ ବ୍ୟାୟାମ ଇତ୍ୟାଦିକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ମାନସିକ ଚାପ ବା ଷ୍ଟ୍ରେସ୍‌ ପରିଚାଳନା ନିମନ୍ତେ ବିଭିନ୍ନ ଉପାୟ ସହ କର୍ମମୟ ଜୀବନରେ ଉପଯୁକ୍ତ ସନ୍ତୁଳନ ରକ୍ଷାକରିବା ଓ ଚାପମୁକ୍ତ ରହିବା ସମ୍ପର୍କରେ ପରାମର୍ଶ ପ୍ରଦାନ କରିଛନ୍ତି । ଏହା ଉଲ୍ଲେଖଯୋଗ୍ୟ ଯେ, ଡାକ୍ତର ସାହାଣୀଙ୍କ ଦ୍ୱାରା ପରିଚାଳିତ ଏହି ସ୍ପେସିଆଲାଇଜ୍‌ଡ ଟିଚର ଟ୍ରେନିଂ କାର୍ଯ୍ୟକ୍ରମକୁ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱୀକୃତି ମିଳିସାରିଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମ ବା ମଡ୍ୟୁଲ ଟି ୱାରଟନ୍‌ କ୍ୟୁଏସ୍‌ କ୍ୱାକ୍ୱେରଲି ସାଇମଣ୍ଡସ୍‌ ସଷଟେନିବିଲିଟି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହା ବିଶ୍ୱ ସ୍ତରରେ ହୋଇଥିବା ସର୍ବଶ୍ରେଷ୍ଠ ଅଭିନବ ଉଦ୍ଭାବନଗୁଡିକର ଶ୍ରେଷ୍ଠ ୧୨ % ମଧ୍ୟରେ ସ୍ଥାନ ପାଇଛି । ଶିକ୍ଷକମାନଙ୍କ ପାଇଁ ପ୍ରସ୍ତୁତ ଏହି ମଡ୍ୟୁଲରେ ଉଦ୍ଦେଶ୍ୟ ହେଉଛି ପ୍ରାଥମିକ ତଥା ମାଧ୍ୟମିକ ସ୍ତରରେ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ ନିମନ୍ତେ ଏହି କ୍ଷେତ୍ରରେ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷାଦାନ ସହ ସମ୍ପର୍କିତ ଅନ୍ୟ କର୍ମଚାରୀମାନଙ୍କର ମାନସିକ ଚାପ ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ପିଲାମାନଙ୍କ ପ୍ରତି ସହାନୁଭୁତିଶୀଳତା ବୃଦ୍ଧି କରାଇବା ବୋଲି ଡାକ୍ତର ସାହାଣୀ କହିଛନ୍ତି । ଡାକ୍ତର ସାହାଣୀ ନିକଟରେ ୱାର୍ଲ୍ଡ ସେସାଇଟି ଫର ଭିକ୍ଟିମୋଲୋଜିର ଉପ- ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆମେ ଜାଣୁ ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକମାନଙ୍କର ଭାବନାତ୍ମକ ଦକ୍ଷତାରେ ଉନ୍ନତି ଆଣିବା ସହିତ ସେମାନଙ୍କୁ ବିଭିନ୍ନ ନ୍ୟୁରୋ ଡାଇଭର୍ସ କଣ୍ଡିସନ ସମ୍ପର୍କରେ ସଚେତନ କରାଇର ସୁଯୋଗ ରହିଛି । ଚିହ୍ନଟ ହୋଇଥିôବା କେତେକ ସମସ୍ୟାର ସମାଧାନ କରିବା ସହିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଶିକ୍ଷକମାନଙ୍କୁ ସଚେତନ କରିବା ସହ ସେମାନଙ୍କର ଭାବନାତ୍ମକ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ବୋଲି ଡା.ସାହାଣିୀ ପ୍ରକାଶ କରିଛନ୍ତି । ଡାକ୍ତର ସାହାଣୀ ଓ ଜେଆଇବିଏସ୍‌ ଠାରେ କାର୍ଯ୍ୟରତ ତାଙ୍କ ଟିମ୍‌ର ସଦସ୍ୟମାନେ ବର୍ତମାନ ସୁଦ୍ଧା ବିଶ୍ୱର ୮ ହଜାର ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଶିକ୍ଷକ ଓ ବିଦ୍ୟାଳୟ ପ୍ରଶାସନିକ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିସାରିଲେଣି । ଭାରତ ବ୍ୟତୀତ ୟୁଏଇ, ପାକିସ୍ଥାନ, ଆଫ୍‌ଗାନିସ୍ଥାନ, ନେପାଳ, ଭୁଟାନ, ବାଙ୍ଗଲାଦେଶ, କାରର୍ଜିକସ୍ଥାନ, ମିଁଆମାର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ବୁଲ୍‌ଗେରିଆ ଓ ମାଲଦ୍ୱିପ୍‌ ଇତ୍ୟାଦି ସ୍ଥାନରେ ଏହି ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟ୍ରକମ ଭବିଷ୍ୟତରେ ଶିକ୍ଷକମାନଙ୍କୁ ଡିସ୍‌ପ୍ରାକ୍ସିଆ ବା ଡେଭେଲପ୍‌ମେଂଟାଲ କୋଅର୍ଡିନେସନ ଡିଜ୍‌ଅର୍ଡର (ଡିସିଡି) ଯେଉଁ କ୍ଷେତ୍ରରେ ପିଲାମାନେ ସଠିକ୍‌ ସମୟ ଜାଣିବାରେ ଦୁର୍ବଳ ହୋଇଥାନ୍ତି,ଡିସ୍‌ଗ୍ରାଫିଆ ବା ଲେଖିବାରେ ଦୁର୍ବଳତା ଏବଂ ଡିସ୍‌କାଲ୍‌କ୍ୟୁଲିଆ ଭଳି ସମସ୍ୟକୁ ବୁଝି ଏହାର ପରିଚାଳାନାରେ ମଧ୍ୟ ସାହାଯ୍ୟ କରିବ ।