ରାହୁଲଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢିଛି - ନିରଞ୍ଜନ

Dec 11, 2018 - 17:07
 143
ରାହୁଲଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢିଛି - ନିରଞ୍ଜନ
ଭୁବନେଶ୍ୱର, ୧୧/୧୨(ସକାଳଖବର): ଆଜି ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ସ୍ଥିତି ଯଥେଷ୍ଟ ଭଲ ରହିଥିବାରୁ ରାହୁଲ ଗାନ୍ଧିଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢିଥିବା ପରିଲକ୍ଷିତ ହୋଇଛି । ୨୦୧୯ ରେ ଏହି ଫଳାଫଳ ଆଗକୁ ନିଶ୍ଚିତ ଦେଖାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭାରତକୁ କଂଗ୍ରେସ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିବା ବେଳେ ତାଙ୍କ ଦଳ ଚଳିତ ନିର୍ବାଚନରେ ବିଜେପି ମୁକ୍ତ ଭାରତ ହୋଇଛି । ଛତିଶଗଡ଼ ନିର୍ବାଚନରେ ଜନସାଧାରଣ ଯେଉଁଭଳି ଭାବେ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କଲେ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ଅନୁରୂପ ଭାବେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରିବେ । କଂଗ୍ରେସ ଦଳ ଆଗାମୀ ଦିନରେ ଛତିଶଗଡ଼ରେ ସରକାର ଗଠନ କରିବାକୁ ଯାଉଥିବାରୁ ମହାନଦୀ ପ୍ରସଙ୍ଗରେ ସମ୍ପୃକ୍ତ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ଆମକୁ ସୁଯୋଗ ମିଳିବ ବୋଲି ସେ କହିଥିଲେ । ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଓଡ଼ିଶା କଂଗ୍ରେସ ଦଳରେ କୌଣସି ଗୋଷ୍ଠୀ ନାହାଁନ୍ତି । ଆମେ ସମସ୍ତେ ଏକାଠି ଅଛୁ, ଆଗାମୀ ନିର୍ବାଚନରେ ଏକାଠି ଲଢ଼ିବୁ । ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବିଜୟ ହେବ । ବର୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । କଂଗ୍ରେସ ଦଳର ବିଜୟକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଥିଲା । ଅପରପକ୍ଷରେ ବିଜେପି କାର୍ଯ୍ୟାଳୟ ନୈରାଶ୍ୟର ବାତାବରଣ ସ୍ପଷ୍ଟ ବାରି ହୋଇପଡୁଥିଲା ।