ରାଜ୍ୟସ୍ତରୀୟ କଳାଉତ୍ସବ ୨୦୧୮
ଭୁବନେଶ୍ୱର, ୨୬/୧୧(ସକାଳଖବର): ଗତ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରାଜ୍ୟସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କଣ୍ଠସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ନୃତ୍ୟ ଓ ଚିତ୍ରକଳା ଭଳି ଚାରିଟି ବିଭାଗରେ ଛାତ୍ରଛାତ୍ରୀମାନେ ଏକକ ପ୍ରତିଯୋଗୀ ଭାବେ ଯୋଗଦାନ କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏହି ରାଜ୍ୟସ୍ତରୀୟ କଳା ଉତ୍ସବକୁ ମଧ୍ୟ ଉଦଘାଟନ କରିଥିଲେ ।
ଏହି ପ୍ରତିଯୋଗୀମାନେ ବ୍ଲକ, ଜିଲ୍ଲା ଓ ଛଅଟି ଜୋନସ୍ତରରୁ ନିର୍ବାଚିତ ହୋଇ ରାଜ୍ୟସ୍ତରୀୟ କଳା ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରତି ବିଭାଗରେ ଛଅଜଣ ବାଳକ ଓ ଛଅଜଣ ଲେଖାଏଁ ବାଳିକା ପ୍ରତିଯୋଗୀମାନେ ଆସନ୍ତା ୧୨-୧୫ ଡିସେମ୍ବର-୨୦୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ କଳା ଉତ୍ସବରେ ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରିବେ ।
ଏହି କ୍ରମରେ କଣ୍ଠ ସଙ୍ଗୀତରେ ଆଦିତ୍ୟ ମହାନ୍ତି ଓ ବିଜୟାଲକ୍ଷ୍ମୀ ରାଉତରାୟ, ଯନ୍ତ୍ର ସଙ୍ଗୀତରେ ଆଶୁତୋଷ ନାୟକ ଓ ସାଗରିକା ଲଗ୍ନ ଲବ୍ଧା ଦାସ, ନୃତ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ସଙ୍ଗୀତା ପ୍ରଧାନ, ଚିତ୍ରକଳାରେ ସନ୍ତୋଷ କୁମାର ସ୍ୱାଇଁ ଓ ମୋନାଲିସା ପାଢ଼ୀ ଉଭୟ ବାଳକ ଓ ବାଳିକା ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ଜାତୀୟ ସ୍ତରର କଳା ଉତ୍ସବରେ ଯୋଗଦେବା ପାଇଁ କୃତିତ୍ୱ ହାସଲ କରିଛନ୍ତି ।
ଏହି ରାଜ୍ୟସ୍ତରୀୟ କଳା ଉତ୍ସବର ବିଭିନ୍ନ ପ୍ରତିଯୋଗୀତାରେ ଗୁରୁ କେଶବ ରାଉତ, ଲକ୍ଷ୍ମୀକାନ୍ତ ପାଲିତ, ସୁଧାକର ମିଶ୍ର, ପ୍ରଦୀପ କୁମାର ଦାସ, ବିନୋଦ ବିହାରୀ ରାଉତ, ଶ୍ରୀନିବାସ ଶତପଥୀ, ଶାଶ୍ୱତ ଯୋଗୀ, ଲୀନା ନନ୍ଦ, ବି. ଜଗଦୀଶ, ରବିନାରାୟଣ ରଥ, ମହିମାନନ୍ଦ ଦାସ ଓ ରାମହରି ଜେନା, ବିଚାରକ ଭାବରେ ଯୋଗଦେଇ ଶ୍ରେଷ୍ଠ ପ୍ରତିଯୋଗୀ ଚୟନରେ ସହାୟତା କରିଥିଲେ । ଏଥିରେ ଯୁଗ୍ମ ନିଦେ୍ର୍ଧଶିକା ବିଜୟା ପାତ୍ର, ଉପନିଦେ୍ର୍ଧଶିକା ଆରତୀ ରାଉତ, ରାଧାମୋହନ ପଣ୍ଡା, ବିତ ପରାମର୍ଶଦାତା ପୁଷ୍ପଲତା ସାମଲ, ସଂପୃକ୍ତ ବିଦ୍ୟାଳୟର ପରାମର୍ଶ ଶିକ୍ଷୟତ୍ରୀ ସଙ୍ଗୀତା ପଣ୍ଡା ଓ ସୁଜାତା ସାମନ୍ତରାୟ ଉତ୍ସବ ପରିଚାଳନା କରିଥିଲେ ।