ଯୁଦ୍ଧ ପାଇଁ ବିଶ୍ୱରେ ଘନେଇବ ଖାଦ୍ୟ ସଙ୍କଟ, କିନ୍ତୁ ଲାଭରେ ରହିବ ଭାରତ…

Mar 13, 2022 - 09:22
 65
ଯୁଦ୍ଧ ପାଇଁ ବିଶ୍ୱରେ ଘନେଇବ ଖାଦ୍ୟ ସଙ୍କଟ, କିନ୍ତୁ ଲାଭରେ ରହିବ ଭାରତ…
ନୂଆଦିଲ୍ଲୀ,୧୩/୦୩: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱରେ ଏକ ବଡ଼ ଧରଣର ଖାଦ୍ୟ ସଂକଟ ମୁଣ୍ଡ ଟେକୁଛି । ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡ଼ିକ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ । ଏହି ଦେଶଗୁଡ଼ିକ ପ୍ରଚୁର ମାତ୍ରାରେ ଗହମ ଆମଦାନି କରିଥାନ୍ତି । ବିଶେଷ କରି ରୁଷ ଏବଂ ୟୁକ୍ରେନ ଏମାନଙ୍କୁ ଗହମ ଯୋଗାଇଥାନ୍ତି । ଯୁଦ୍ଧ ଯୋଗୁ ଯୋଗାଣ ବ୍ୟାହତ ହେବା ଫଳରେ ଏହି ରାଷ୍ଟ୍ରଗୁଡ଼ିକ ଉତ୍କଟ ଖାଦ୍ୟ ସଂକଟକୁ ଯିବେ ବୋଲି ଜାତିସଂଘର ଖାଦ୍ୟ ଏଜେନ୍ସି ସତର୍କବାଣୀ କରିଛି । ଯୁଦ୍ଧରେ ବ୍ୟସ୍ତ ଥିବା ୟୁକ୍ରେନ ଏବଂ ରୁଷ ବିଶ୍ୱର ମୋଟ ଶସ୍ୟ ରପ୍ତାନିରେ ଏକ ତୃତୀୟାଂଶ ଯୋଗଦାନ ରଖୁଛନ୍ତି । ଏଭଳି କ୍ଷେତ୍ରରେ ଆର୍ଥିକ କଟକଣାଗୁଡ଼ିକ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଆହ୍ୱାନ ଛିଡ଼ାକରିଛି । ଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି । ଏହା କେବେ ସମାପ୍ତ ହେବ ତାହା ସ୍ପଷ୍ଟ ନାହିଁ । ଉଭୟ ଦେଶରେ କୃଷିକାର୍ଯ୍ୟ ବନ୍ଦ ପଡ଼ିଥିବାବେଳେ ଶସ୍ୟ ରପ୍ତାନି ଠପ୍‌ ହୋଇଯାଇଛି । ଫଳରେ ବିଶ୍ୱର ଖାଦ୍ୟ ନିରାପତ୍ତାକୁ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଥିବା ରୋମ୍‌ଭିତ୍ତିକ ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ) ମହାନିର୍ଦ୍ଦେଶକ କ୍ୟୁ ଡୋଙ୍ଗ୍‌ୟୁ ପ୍ରକାଶ କରିଛନ୍ତି । ତେବେ ଗହମ ପାଇଁ ରୁଷ ଏବଂ ୟୁକ୍ରେନ ଉପରେ ନିର୍ଭର କରି ଆସିଥିବା ରାଷ୍ଟ୍ରଗୁଡ଼ିକ ଭାରତକୁ ବିକଳ୍ପ ଭାବେ ନେଇପାରନ୍ତି । ଯୁଦ୍ଧ ଯୋଗୁ ଗହମ ତଥା ଅନ୍ୟାନ୍ୟ ଶସ୍ୟ ବଜାରରେ ଦେଖାଦେଇଥିବା ଶୂନ୍ୟସ୍ଥାନକୁ ଭାରତ ପୂରଣ କରିପାରେ । ଏହା ନୂଆ ନୂଆ ବଜାରକୁ ଗହମ ରପ୍ତାନି କରି ରୁଷ ଏବଂ ୟୁକ୍ରେନର ବିକଳ୍ପ ପାଲଟିପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଯୁଦ୍ଧ ପରଠାରୁ ଭାରତର ଗହମ ରପ୍ତାନି ବଡ଼ ମାତ୍ରାରେ ବୃଦ୍ଧି ଘଟିଥିବା ସୂତ୍ରରୁ ଜଣାପଡ଼ିଛି । ଏଫ୍‌ଏଓ ପ୍ରକାଶ କରିଛି ଯେ, ରୁଷ ଏକ ଅଗ୍ରଣୀ ସାର ଉତ୍ପାଦନକାରୀ । ୟୁରିଆ ଉତ୍ପାଦନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗତ ୧୨ ମାସରେ ୟୁରିଆ ଦରରେ ୩ ଗୁଣାରୁ ଅଧିକ ବୃଦ୍ଧି ଘଟିଥିବାବେଳେ ଯୁଦ୍ଧ ପରିସ୍ଥିତିକୁ ଆହୁରି ବିକୃତ କରିବ । ଏଫ୍‌ଏଓ ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ଜୁନ୍‌ରେ ୟୁକ୍ରେନର ଚାଷୀମାନେ ଗହମ ଅମଳ କରିପାରିବେ କି ନାହିଁ ତାହା ସନ୍ଦେହ । କାରଣ ଯୁଦ୍ଧ ଯୋଗୁ ଜୀବନ ବଞ୍ଚାଇବା ପାଇଁ ଅନେକ ବାସିନ୍ଦା ଦେଶ ଛାଡ଼ି ପଳାୟନ କରିଛନ୍ତି । ଏଭଳି କ୍ଷେତ୍ରରେ ଅମଳ ପାଇଁ କୃଷି ଶ୍ରମିକ ମିଳିବା କଷ୍ଟକର ହେବ । ଯଦି ବି ଅମଳ ହୋଇପାରିବ ଏହାକୁ ରପ୍ତାନି କରାଯାଇପାରିବ ନାହିଁ । କାରଣ କଳା ସାଗର ବା ବ୍ଲାକ୍‌ ସି’ ଉପରେ ଥିବା ୟୁକ୍ରେନର ବନ୍ଦରଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏହାସହିତ ୟୁକ୍ରେନ ସରକାର ନିଜ ନାଗରିକଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିବା ତଥା ବଜାରରେ ସ୍ଥିରତା ରଖିବା ନିମନ୍ତେ ଦେଶକୁ ଗହମ, ବାଜରା, ମାଣ୍ଡିଆ ଆଦି ଶସ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ସୂଚନାଯୋଗ୍ୟ, ମକା ଏବଂ ସୂର୍ଯ୍ୟମୁଖୀ ଯୋଗାଣରେ ୟୁକ୍ରେନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶ୍ୱରେ ମୋଟ ସୂର୍ଯ୍ୟମୁଖୀ ତେଲ ରପ୍ତାନିରେ ୟୁକ୍ରେନ ଏବଂ ରୁଷର ମିଳିତ ଯୋଗଦାନ ୫୨% ରହିଛି । ଯ’ ରପ୍ତାନିରେ ଉଭୟ ଦେଶର ଯୋଗଦାନ ୧୯% , ଗହମ ରପ୍ତାନିରେ ୧୪% ଏବଂ ମକା ରପ୍ତାନିରେ ୪% ରହିଛି । ଏହା ସ୍ପଷ୍ଟ ନାହିଁ ଯେ, ରପ୍ତାନିକାରୀମାନେ ବିଶ୍ୱ ଶସ୍ୟ ବଜାରରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବେ କି ନାହିଁ । କାନାଡାର ଗହମ ଭଣ୍ଡାରଗୁଡ଼ିକ ଶେଷ ଅବସ୍ଥାରେ ଅଛି । ଏଭଳି ସ୍ଥିତିରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି ବୋଲି ଏଫ୍‌ଏଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକାଶ କରିଛନ୍ତି । ଆମେରିକା, ଆର୍ଜେଣ୍ଟିନା ଏବଂ ଅନ୍ୟାନ୍ୟ ଗହମ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ରପ୍ତାନିକୁ ସଙ୍କୁଚିତ କରିବେ । କାରଣ ଘରୋଇ ଚାହିଦା ପୂରଣ ଉପରେ ସେମାନେ ଧ୍ୟାନ ଦେବେ । ରୁଷ ଏବଂ ୟୁକ୍ରେନ ଉପରେ ଗହମ ପାଇଁ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକ ଆମଦାନି ସ୍ତର ବଢ଼ାଇବାକୁ ବାଧ୍ୟ ହେବେ ବୋଲି ଏଫ୍‌ଏଓ ପକ୍ଷରୁ ପ୍ରକାଶ ପାଇଛି । ଇଜିପ୍ଟ, ତୁର୍କୀ, ବାଂଲାଦେଶ ଏବଂ ଇରାନ ଆଦି ଦେଶ ରୁଷ ଏବଂ ୟୁକ୍ରେନରୁ ୬୦% ଗହମ ଆଣିଥାନ୍ତି । ଲେବାନନ୍‌, ଟ୍ୟୁନିସିଆ, ୟେମେନ୍‌, ଲିବ୍ୟା ଏବଂ ପାକିସ୍ତାନ ମଧ୍ୟ ଗହମ ପାଇଁ ରୁଷ ଏବଂ ୟୁକ୍ରେନ ଉପରେ ନିର୍ଭରଶୀଳ । ଯୋଗାଣ ଶୃଙ୍ଖଳ ଏବଂ ଲଜିଷ୍ଟିକ୍‌ ସମସ୍ୟା ବିଶ୍ୱରେ ଖାଦ୍ୟ ନିରାପତ୍ତା ପ୍ରତି ବାଧା ସୃଷ୍ଟି କରିବ ବୋଲି ଏଫ୍‌ଏଓ ପ୍ରକାଶ କରିଛି । ତେବେ ଏସବୁ ରାଷ୍ଟ୍ରଗୁଡ଼ିକୁ ଭାରତ ନିଜ ଆଡ଼କୁ ଟାଣିପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।