ମ୍ୟାଚ୍ ପରେ ସାମ୍ବାଦିକଙ୍କ ଉପରେ କ୍ଷୁବ୍ଧ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Nov 23, 2022 - 06:41
 49
ମ୍ୟାଚ୍ ପରେ ସାମ୍ବାଦିକଙ୍କ ଉପରେ କ୍ଷୁବ୍ଧ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟ୍ଵେଣ୍ଟି-୨୦ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ନଭେମ୍ବର ୨୨ରେ ନାପିଏରରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ଟାଇ ହୋଇଛି। ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ୍ ହୋଇଥିବା ବେଳେ ଦ୍ଵିତୀୟ ଟି-୨୦ରେ ଭାରତ ବିଜୟୀ ହୋଇଥିଲା। ଆଜି ଖେଳାଯାଇଥିବା ଶେଷ ଟି-୨୦ ଟାଇ ହେବାରୁ ଭାରତ ଟି-୨୦ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନରେ ଅଲଆଉଟ୍ ହୋଇଥିଲା। ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହେବା ସମୟରେ ଭାରତ ୪ ଓ୍ଵିକେଟ୍ ହରାଇ ୭୫ ରନ କରିଥିଲା। ମ୍ୟାଚ୍‌ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବା ସମୟରେ କ୍ଷୁବ୍ଧ ହୋଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଟି-୨୦ ଶୃଙ୍ଖଳା ସମୟରେ ସଞ୍ଜୁ ସାମସନ ଏବଂ ଉମରାନ ମଲିକଙ୍କୁ କାହିଁକି ସୁଯୋଗ ଦିଆଗଲାନି ପ୍ରଶ୍ନକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା କ୍ଷୁବ୍ଧ ହୋଇ ଉଠିଛନ୍ତି। ସେ ଜବାବ ଦେଇ କହିଛନ୍ତି, ବାହାରୁ କିଏ କଣ କହୁଛି ଏହି ସ୍ତରରେ ପହଞ୍ଚିବା ପରେ କୌଣସି ଫରକ ପଡେ ନାହିଁ। ମୋର ଦଳ, କୋଚ୍ ଏବଂ ମୋତେ ଯାହା ଠିକ୍ ଲାଗିବ ଏବଂ ମ୍ୟାଚ୍‌ରେ ଆମକୁ କେଉଁ ଖେଳାଳି ଦରକାର ସେହି ହିସାବରେ ଆମେ ଚୂଡାନ୍ତ ଏକାଦଶ ଚୟନ କରିବୁ। ପରେ ପୁଣି ନିଜ ବୟାନ ସପକ୍ଷରେ ସେ କହିଛନ୍ତି, ଦେଖନ୍ତୁ ଏବେ ବହୁତ ସମୟ ଅଛି। ସମସ୍ତଙ୍କୁ ସୁଯୋଗ ମିଳିବ ଏବଂ ଯେବେ ବି ସୁଯୋଗ ମିଳିବ ସେମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ସୁଯୋଗ ମିଳିବ। ଗୋଟିଏ କଥା ବୁଝିବାକୁ ପଡିବ ଯେ ଯଦି ବଡ ସିରିଜ୍ ଖେଳାଯିବ ତେବେ ମ୍ୟାଚ୍ ସଂଖ୍ୟା ଅଧିକ ହେ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିବ। ଏହା ଛୋଟ ସିରିଜ୍ ଥିଲା। ମୁଁ କୌଣସି ବି ଚୂଡାନ୍ତ ଏକାଦଶରେ ବାରମ୍ବାର ପରିବର୍ତ୍ତନ ଉପରେ ବିଶ୍ଵାସ କରେ ନାହିଁ। ଆଗାମୀ ଦିନରେ ବି ଏହା ଉପରେ ମୁଁ ବିଶ୍ଵାସ କରିବି ନାହିଁ।