ମୋରମ ଖାଦାନରେ ଖସିପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତୁ୍ୟ

Sep 4, 2019 - 06:44
 143
ବାରିପଦା, ୩/୯(ସକାଳଖବର): ରାଜସ୍ୱ ବିଭାଗର ଅବହେଳା କାରଣରୁ ମୟୂରଭଞ୍ଜ ଜିଲ୍ଲାରେ ମୋରମ ମାଫିଆମାନେ ସରକାରୀ ହେଉ ଅଥବା ବେସରକାରୀ ଜମି ହେଉ ସେଥିରୁ ମୋରମ ଉତୋଳନ କରି ଚୋରା ଚାଲାଣ କରିଆସୁଛନ୍ତି । ଫଳରେ ସେଠାରେ ସୃଷ୍ଟି ହେଉଥିବା ଛୋଟ ବଡ଼ ଖାଲ ବା ଗାଢ଼ରେ ବର୍ଷା ଦିନେ ପାଣି ଭର୍ତି ହେଉଛି । ଅସାବଧାନତା କାରଣରୁ ବିଭିନ୍ନ ସମୟରେ ଛୋଟ ଛୋଟ ଶିଶୁ ଏହା ମଧ୍ୟରେ ଖସି ପଡ଼ି ଅକାଳରେ ପ୍ରାଣ ହରାଉଛନ୍ତି । ଏହିଭଳି ଏକ ଅଭାବନୀୟ ଦୁଃଖଦାୟକ ଘଟଣାର ପୁନଃ ଆବୃତି ଘଟିଛି ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଅଂଚଳରେ । ଆଜି ସକାଳ ପ୍ରାୟ ୭ଟା ପାଖାପାଖି ଚାନ୍ଦୁଆ ଗ୍ରାମର ବିଶ୍ୱନାଥ ବେଶ୍ରାଙ୍କ ୩ ବର୍ଷର ଝିଅ ଶୁଭଶ୍ରୀ ବେଶ୍ରା ଓ ତାଙ୍କ ଭାଇ ଚାରୁ ବେଶ୍ରାଙ୍କ ୨ ବର୍ଷର ଝିଅ ସୁକୁଲମଣି ବେଶ୍ରା ଦୁଇ ଭଉଣୀ ଖେଳୁ ଖେଳୁ ଘର ନିକଟରେ ଥିବା ପାଣି ଭର୍ତି ମୋରମ ଖାଦାନ ନିକଟକୁ ଚାଲି ଆସିଥିଲେ ଏବଂ ଅସାବଧାନତା କାରଣରୁ ଶୁଭଶ୍ରୀ ଓ ସୁକୁଲମଣିଙ୍କର ପାଦ ଖସିଯିବାରୁ ଦୁଇ ଭଉଣୀ ଖାଲ ଭିତରକୁ ଖସିପଡ଼ିଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ପାଣି ଭିତରୁ ଏମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ନେଇ ଆସିଥିଲେ । ମାତ୍ର ଡ଼ାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଚାନ୍ଦୁଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।