ଭାରତ- ଋଷ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଉପରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,୩୧/୮(ସକାଳଖବର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଷିଆନ୍ ଫେଡେରେସନର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ନିମନ୍ତ୍ରଣରେ ଗତ ୨୯ ଓ ୩୦ ତାରିଖ ଦୁଇ ଦିନିଆ ଋୁଷର ମୋସ୍କୋ ଗସ୍ତରେ ଯାଇଥିବା ବେଳେ ଶନିବାର ସ୍ୱଦେଶ ଫେରିଛନ୍ତି । ଏହି ଦୁଇଦିନିଆ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉର୍ଜାରୁ ଇସ୍ପାତ୍, ତୈଳ ଏବଂ ଗ୍ୟାସ ଓ ଅନ୍ୟାନ୍ୟ କ୍ଷେତ୍ରରେ ଋଷ ସରକାର ଏବଂ ବେସରକାରୀ କମ୍ପାନୀଗୁଡିକର ଅଧିକାରୀଙ୍କ ସହ ମାରାଥନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ୨୫ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳ ଋଷ ଗସ୍ତରେ ଯାଇଥିଲେ । ଏହି ସଦସ୍ୟମାନଙ୍କ ମଧ୍ୟରେ ଭାରତୀୟ ତୈଳ, ଗ୍ୟାସ, ଇସ୍ପାତ୍ ଏବଂ ଇଞ୍ଜିନିୟରିଂ କମ୍ପାନୀର ସିଇଓ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ଏକ ସପ୍ତାହ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏହି ଋଷ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପ ପ୍ରଧାନମନ୍ତ୍ରୀ ୟୁରି ତୃଟନେଭ୍, ଶକ୍ତିମନ୍ତ୍ରୀ ଆଲେକଜାଣ୍ଡର ନୋଭାକ ଏବଂ ଶିଳ୍ପ ଓ ବାଣିଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଇସ୍ପାତ କ୍ଷେତ୍ରର ପ୍ରଭାରୀ ଭିକ୍ଟର ଏଭତୁକୋଭଙ୍କୁ ସାକ୍ଷାତ୍ କରି ଦୁଇ ଦେଶ ମଧ୍ୟରେ ଉକ୍ତ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଉପପ୍ରଧାନମନ୍ତ୍ରୀ ତୃଟନେଭ୍ଙ୍କ ସହ ଆଲୋଚନାକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଉର୍ଜା ଏବଂ ଇସ୍ପାତ କ୍ଷେତ୍ରରେ ଉଭୟ ଦେଶ ସହଯୋଗୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ । ସେହିପରି ଭାରତ ଋଷ ସହିତ ମିଶି
ଉର୍ଜା କ୍ଷେତ୍ରକୁ ବଢାଇବା ଏବଂ ଋଷର କୋଇଲା କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗୀ ହେବା ପାଇଁ ଇଚ୍ଛା ରଖିଛି ।
ସେହିପରି ଶ୍ରୀ ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ସାକ୍ଷାତ୍ କରିବା ପରେ ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ସହଯୋଗ ତଥା ବର୍ତମାନ ସ୍ଥିତିର ସମୀକ୍ଷା କରିଥିଲେ । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ପୁଞ୍ଜି ନିବେଶ, ଉର୍ଜା ସମ୍ପର୍କୀତ ବିକାଶ ତଥା ଉର୍ଜା ଉପôାଦନ ଓ ଉର୍ଜା ବ୍ୟବହାରକାରୀଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଦୁଇ ମନ୍ତ୍ରୀ ବୈଠକ ପରେ ନିଜ ନିଜ ଦେଶର ତୈଳ ଏବଂ ଗ୍ୟାସ୍ କ୍ଷେତ୍ରର ବେସରକାରୀ ଏବଂ ସାର୍ବଜନୀନ ସ୍ତରରେ ଚର୍ଚ୍ଚା କରିଥିଲେ । ଉର୍ଜା ସମ୍ପର୍କକୁ ବଢାଇବା ପାଇଁ ଉଭୟ ମନ୍ତ୍ରୀ ସମର୍ଥନ ଦେବା ସହ ଋଷ ଓ ଭାରତ ମଧ୍ୟରେ ଉର୍ଜା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କମ୍ପାନୀଗୁଡିକୁ ସ୍ୱାଗତ ଜଣାଇଥିଲେ ।