ମହାନଦୀରେ ଡଙ୍ଗାବୁଡି ୧୦ ମୃତ, ଗ୍ରାମରେ ଶୋକାକୁଳ ପରିବେଶ ୪ ଘଂଟା ରାସ୍ତାରୋକ

Jan 3, 2019 - 18:13
 174
ମହାନଦୀରେ ଡଙ୍ଗାବୁଡି ୧୦ ମୃତ, ଗ୍ରାମରେ ଶୋକାକୁଳ ପରିବେଶ ୪ ଘଂଟା ରାସ୍ତାରୋକ
କୁଜଙ୍ଗ,୩/୧(ସକାଳଖବର): ନୂଆବର୍ଷ ଉପଲକ୍ଷେ କେନ୍ଦ୍ରାପଡା ହୁକିଟୋଲାକୁ ବଣଭୋଜି କରିବା ନିମନ୍ତେ କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରୁ ୫୫ ଜଣ ଏକ ଡଙ୍ଗାରେ ସକାଳ ୮ଟାରେ ପନ୍ଦର ନମ୍ବର ନିକଟରୁ ପିକନିକ କରିବାକୁ ୩ଟା ସମୟରେ ହୁକିଟୋଲାରେ ପହଂଚିଥିଲେ । ସେଠାରେ ବଣଭୋଜିରେ ମାଛଘାଂଟ ଓ ଭାତ ଖାଇସାରି ୫ଟା ୩୦ ମିନିଟ୍ ସମୟରେ ଉକ୍ତ ଡିଜେଲ ଚାଳିତ ଡଙ୍କାରେ ଘରକୁ ବାହାରିଲେ । ଖୁସିରେ ଘରକୁ ବଣଭୋଜିସାରି ଫେରୁଥିବା ସମୟରେ ନିପାଣିଆ ପାଖରେ ଜିତା ସାହୁ ଶୌଚ ହେବାକୁ ଯାଇଥିଲେ । ଆଉ ମଧ୍ୟ ୪/୫ ଜଣ ପରିସ୍ରା କରିବାକୁ ବାହାରିଗଲେ । ସମସ୍ତେ ଡଙ୍ଗାକୁ ଚଢ଼ିବାପରେ ଡଙ୍ଗାଟି ଭାରସାମ୍ୟ ହରାଇ ପାଣି ପଶିଯାଇ ଓଲଟି ପଡିଥିଲା । ଏହି ଡଙ୍ଗାକୁ ଅନଭିଜ୍ଞ ଚାଳକ ଦୁଇ ଜଣ ଟୁଟୁ ସାହୁ ଓ ନିର୍ଭୟ ସ୍ୱାଇଁ ଚଲାଉଥିଲେ । ଦୁଇଜଣ ଚାଳକ ଜାଲ ବୁହାଳୀ ଡଙ୍ଗୀ ଚଲାଇଥାନ୍ତି । ଉକ୍ତ ଡଙ୍ଗାଟି ଓଲଟି ପଡିବାରୁ ପାଟିତୁଣ୍ଡ ଓ କାନ୍ଦବୋବାଳି ଶୁଣି ସଙ୍ଗେ ସଙ୍ଗେ ନିପାଣିଆ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିଲେ । ଗାଢ଼ ଅନ୍ଧାର ଭିତରରେ ଗୋଟି ଗୋଟି କରି ସମସ୍ତଙ୍କୁ ଗଭୀର ଜଳରୁ ଉଦ୍ଧାର କରି ଆଣି ଘାଟକୂଳରେ ନିଆଁ ଜାଳି ଉପଶମ କରିଥିଲେ । ସେହି ସମୟରେ ଜଣେ ମହିଳା ଓ ୬ ଜଣ ଛୋଟ ପିଲା ନିଖୋଜ ଥିଲେ । ଅଗ୍ନିଶମ ବାହିନୀ, ତହସିଲଦାର, ଉପଜିଲ୍ଲାପାଳ ପ୍ରମୁଖ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱାରାନ୍ୱିତ କରିଥିଲେ । ଏହି ଡଙ୍ଗାବୁଡି ଘଟଣାରେ ନିପାଣିଆ ଗ୍ରାମର ଦୁଇ ଭଉଣୀ ପୂର୍ଣ୍ଣିମା ଓ ସମ୍ପର୍କୀୟ ଭଉଣୀ ସବିତା ଗିରି ଦେବଦୂତ ସାଜିଥିଲେ । ସେମାନେ ୬ଟା ୩୦ମିନିଟ୍ ସମୟରେ ପାଟିତୁଣ୍ଡ ଶୁଣି ପାଣିକୁ ଡେଇଁ ଅନେକଙ୍କୁ ଉଦ୍ଧାର କରିଥିଲେ । ସେମାନେ ଜ୍ଞାନମୟୀ ହାଇସ୍କୁଲ୍ରେ ଅଧ୍ୟୟନ କରୁଛନ୍ତି । ସେହିପରି ହସିଣା ଗ୍ରାମର ବୁଲୁ ସାହୁଙ୍କ ଝିଅ କୁଜଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀ ଶୁଭସ୍ମିତା ସାହୁ ନିଜେ ଡଙ୍ଗାରୁ ବଂଚି ପହଁରା ଶିଖିଥିବାରୁ ନିଜ ମାଆ ଲକ୍ଷ୍ମୀପ୍ରିୟା ସାହୁ, ମାମୁଁଘର ଆଇ ମୁକୁତୀ ବେହେରା, ହସିଣା ଗ୍ରାମର ମଣି ବେହେରାଙ୍କ ଝିଅ ଲିସାରାଣୀ ବେହେରା (୧୪, ନବମଶ୍ରେଣୀ), ସାନ ଭଉଣୀ ମଧୁସ୍ମିତା ସାହୁ (୧୨, ଷଷ୍ଠ ଶ୍ରେଣୀ), ବଡ ଭଉଣୀ ପଙ୍କଜିନୀ ଦଳାଇ (୨୧), ସୋନାକ୍ଷୀ ଦଳାଇ (୩)ଙ୍କୁ ଉଦ୍ଧାର କରିଥିଲା ବୋଲି ଶୁଭସ୍ମିତା ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ହସ୍ପିଟାଲ୍ରେ ଥିବା ଆହତଙ୍କୁ ଗ୍ରାମବାସୀ ଓ ପରିବାର ଭେଟିବା ସଙ୍ଗେସଙ୍ଗେ ବିଭିନ୍ନ ଦଳର ରାଜନେତା ଓ ଶ୍ରମିକନେତାମାନେ ଭେଟି ମୃତ ପରିବାରକୁ ସମବେଦନା ଜଣାଇଛନ୍ତି । କୁଜଙ୍ଗର ଅତିରିକ୍ତ ତହସିଲ୍ଦାର୍ ଅଟଳ ବିହାରୀ ସ୍ୱାଇଁ, ରାଜସ୍ୱ ନୀରିକ୍ଷକ ସନ୍ତୋଷ ମଲିକ ପ୍ରତ୍ୟେକ ମୃତୁ୍ୟବରଣ କରିଥିବା ଆହତ ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ବରିଷ୍ଠ କଂଗ୍ରେସ ନେତା ବାପି ସର୍ଖେଲ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ବିଜେପି ନେତା ସମ୍ପଦ ସ୍ୱାଇଁ, ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ, ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ପ୍ରମୁଖ ଦୁର୍ଘଟଣାଗ୍ରସ୍ଥ ପରିବାରକୁ ମେଡିକାଲ୍ରେ ପୃଥକ୍ ପୃଥକ୍ଭାବେ ଭେଟି ଫଳ, ବିସ୍କୁଟ ଦେବା ସହିତ ସମବେଦନା ଜଣାଇଥିଲେ । ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ପ୍ରତ୍ୟେକ ମୃତକ ପରିବାରକୁ ୩ ହଜାର ଟଙ୍କା ଲେଖାଁଏ ଶବ ଶକ୍ରାର ନିମନ୍ତେ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଘଟଣାକୁ ନେଇ କଟକ ପାରାଦ୍ୱୀପ ରାସ୍ତାର ପନ୍ଦରନମ୍ବରଠାରେ ପରିବାରକୁ କ୍ଷତିପୂରଣ ଦାବିରେ ଦୁଇ ଘଂଟା ରାସ୍ତାରୋକ କରିଥିଲେ । ପୋଲିସ୍ ଓ ତହସିଲ୍ଦାର୍ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବାପରେ ରାସ୍ତା ରୋକ ହଟିଥିଲା । ପୁଣି ଦିନ ଗୋଟାଏ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ଦୁଇଜଣ ଚାଳକଙ୍କୁ ଛାଡିବା ଦାବିରେ ରାସ୍ତା ରୋକ କରାଯାଇଥିଲା ଓ ମୃତକ ପରିବାରକୁ ଦଶ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରିବାକୁ କହିଥିଲେ । ଏହି ରାସ୍ତାରୋକରେ କଂଗ୍ରେସ ନେତା ବାପି ସର୍ଖେଲ, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଓ ପାରାଦ୍ୱୀପର ବିଜେପି ନେତା ସମ୍ପଦ ସ୍ୱାଇଁ ପ୍ରମୁଖ ସାମିଲ ହୋଇ ବସିରହିବା ଦେଖିବାକୁ ମିଳିଥିଲା । ମୃତୁ୍ୟବରଣ କରିଥିବା ୧୦ ଜଣ ଶିଶୁ ଓ ମହିଳା ହେଉଛନ୍ତି ପ୍ରଭାତୀ ସ୍ୱାଇଁ(୩୬) ସ୍ୱାମୀ ଅକ୍ଷୟ ସ୍ୱାଇଁ, ଅନୁପମା ସାହୁ(୩୦), ସାଇ ତରାଇ ଓରଫ ପ୍ରଭଞ୍ଜନ(୪), ଦେବାଶିଷ ସାହୁ(୧୦), ଧୁନ ସାହୁ(୧୦), ଦେବସ୍ମିତା ପାଣି(୬), ସୁଶ୍ରୀ ସ୍ୱାଇଁ(୫), ରୋଜି ସାହୁ ଓରଫ ରୋଜାଲିନ୍ ସାହୁ(୧୫ ବର୍ଷ, ଦଶମ ଶ୍ରେଣୀ)ପିତା ନିର୍ଭୟ, ସୋନାକ୍ଷୀ ଦଳାଇ(୩), ଶୁଭଶ୍ରୀ ସ୍ୱାଇଁ(୬), ହୁକିଟୋଲା ପିକ୍ନିକ୍ରେ ଯାଇ ମୃତୁ୍ୟବରଣ କରିଥିଲେ । ଏହି ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଦୁଇ ମହିଳା ଓ ୮ ଶିଶୁଙ୍କ ପାଇଁ ଉକ୍ତ ହସିଣା ଗ୍ରାମ ତଥା ଆଖପାଖ ଅଂଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ଉକ୍ତ ଖବର ଶୁଣି ହସିଣା ଗ୍ରାମର ନିଶାକର ତରାଇଙ୍କ ପନôୀ ସର ତରାଇ ହୃଦାଘାତରେ ମୃତୁ୍ୟବରଣ କରିଛନ୍ତି । ସନ୍ଧ୍ୟା ୬ଟା ସମୟରେ ଉପସ୍ଥିତ ଗ୍ରାମବାସୀଙ୍କୁ ପାରାଦ୍ୱୀପ ଏଡିଏମ କାହ୍ନୁଚରଣ ଧିର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଅଟଳ ବିହାରୀ ସ୍ୱାଇଁ, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ ସାହୁ, ଏସଡିପିଓ ଶିବ ଚରଣ ମଲ୍ଲିକ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବାପରେ ଆଗାମୀ ୧୧ ତାରିଖରେ ସମସ୍ତ ଦାବି ପ୍ରତି ଦୃଷ୍ଟି ଦିଆଯିବବୋଲି ପ୍ରତିଶ୍ରୁତି ଦେବାପରେ ଏହି ରାସ୍ତାରୋକ ହଟିଥିଲା ।