ପରିବର୍ତନର ସ୍ୱର ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବ- ବିଜେପି

Jan 3, 2019 - 18:06
 227
ପରିବର୍ତନର ସ୍ୱର ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବ- ବିଜେପି
ବାରିପଦା, ୩/୧(ସକାଳଖବର): ଆସନ୍ତା ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ । ମୋଦିଙ୍କ ଏହି କାର୍ଯ୍ୟସୂଚୀ ସମ୍ପର୍କରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ବାରିପଦା ଦୂର୍ଗା ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏନେଇ ସୂଚନା ଦେଇ କହିଥିଲେ ଯେ, ମୋଦିଙ୍କର ଏହି ଗସ୍ତ ୨ ଘଂଟା ୨୦ ମିନିଟ୍ ର ରହିବ । ପ୍ରଥମେ ସେ ପୋଲିସ ଲାଇନ୍ ପଡିଆସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍୍ ରେ ଓହ୍ଲାଇ ପୋଲିସ ଲାଇନ୍ ହାଇସ୍କୁଲ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ସେ ଭିଡ଼ିଓ କନଫରେନ୍ସୀ ଯୋଗେ ବାଲେଶ୍ୱର-ହଳଦିଆ-ଦୂର୍ଗାପୁର ଏଲପିଜି ପାଇପ୍ ଲାଇନ୍ ଓ ଭଦ୍ରକ-ବାଲେଶ୍ୱର ଜାତୀୟ ରାଜପଥ ସମେତ ଅନ୍ୟ କେତେକ ପ୍ରକଳ୍ପକୁ ଲୋକାର୍ପଣ କରିବା ସଙ୍ଗେ ସଙ୍ଗେ ହରିପୁର ଗଡ଼କୁ ଜାତୀୟ ପର୍ଯ୍ୟଟନ ସ୍ଥଳି ଭାବେ ଲୋକାର୍ପଣ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଛଉପଡିଆ ଠାରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକି ଓଡ଼ିଶାରେ ନବୀନ ସରକାର ବିରୋଧରେ ପରିବର୍ତନର ସ୍ୱର ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହି ବିଶାଳ କାର୍ଯ୍ୟକ୍ରମରେ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଦଳୀୟ କର୍ମୀ ଓ ମୋଦି ପ୍ରଶଂସକ ଯୋଗଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ବିଜୁ ବାବୁଙ୍କ ସ୍ୱପ୍ନ ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହିତ ବାରିପଦା ସହରକୁ ବିଭିନ୍ନ ନଦୀରୁ ବିଶୋଧିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହା ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ବୁଢ଼ାମରା-ଚାକୁଳିଆ ଓ ବାଙ୍ଗିରିପୋଷି-ବାଦାମପାହାଡ଼ ରେଳପଥ ସଂଯୋଗୀକରଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହିତ ଆଲୋଚନା କରି ସାରିଥିବା ବେଳେ ନବୀନ ବାବୁ କେବଳ କେନ୍ଦ୍ରକୁ ଏ ବିଷୟରେ ଚିଠି ଲେଖିଛନ୍ତି । ଏ ସରକାର କେବଳ ଚିଠିଲେଖା ସରକାରରେ ସୀମିତ ରହିଛି ବୋଲି ସେ କଟାକ୍ଷ କରି କହିଥିଲେ । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ ଯୋଜନା, ଉଜ୍ଜଳା ଯୋଜନା ଆଦି ବିକାଶମୂଳକ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ସର୍ବାଧିକ ଅର୍ଥ ଯୋଗାଇ ଦେଉଥିବା ବେଳେ ବିଜେଡ଼ି ସରକାର ଏହାର ବାଟ ଓଗାଳି ଛିଡା ହୋଇଥିବାରୁ ଯୋଜନା ସିଧାସଳଖ ହିତାଧିକାରୀମାନଙ୍କ ନିକଟରେ ପହଂଚି ପାରୁନାହିଁ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ । ସମଗ୍ର ଓଡ଼ିଶାରେ ଦୃତ ବିକାଶର ଦୃଢ଼ ସଂକଳ୍ପ ଏବଂ ନବ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ମୋଦି ବାରିପଦା ଗସ୍ତ କରୁଥିବା ସେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି କାର୍ଯ୍ୟକ୍ରମକୁ ଠିକ୍ ଭାବରେ ଦେଖିବା ଓ ଶୁଣିବା ପାଇଁ ସଭା ସ୍ଥଳରେ ବିଭିନ୍ନ ସ୍ଥାନରେ ୪୦ ରୁ ଉଦ୍ଧ୍ୱର୍ ଏଲସିଡି ଏବଂ ସହରର ବିଭିନ୍ନ ସ୍ଥାନରେ ମାଇକ୍ ଲଗାଯିବ । ଟ୍ରାଫିକ୍ ପରିଚାଳନା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସଭା ସ୍ଥଳ ଓ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।