ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ କଂଗ୍ରେସ ପକ୍ଷରୁ ଅହିଂସା ପଦଯାତ୍ରା

Oct 4, 2019 - 06:18
 111
ଭୁବନେଶ୍ୱର, ୨/୧୦(ସକାଳଖବର):୧୫୦ତମ ଗାନ୍ଧୀ ଜୟନ୍ତୀ ଓ ୧୧୫ତମ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସକାଳ ୮ ଘଂଟା ସମୟରେ ଭୁବନେଶ୍ୱର ନାଲ୍କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀଙ୍କ ପି୍ରୟ ଭଜନ ରାମଧୁନ୍, ବୈଷ୍ଣବଜନ ଗାନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରୁ “ଅହିଂସା ପଦଯାତ୍ରା” ବାହାରି ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ୍, ୧୨୦ ବାଟାଲିୟନ, ଇନ୍ଦିରାଗାନ୍ଧୀ ପାର୍କ, ଲୋୟର ପିଏମ୍ଜି ଦେଇ ହଜାର ହଜାର ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଭବନ ଠାରେ ପହଂଚିଥିଲେ । କଂଗ୍ରେସ ଭବନ ଠାରେ ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଗାନ୍ଧୀ – ଶାସ୍ତ୍ରୀ ଜୟନ୍ତୀ’ ସମାରୋହକୁ ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଆଦର୍ଶରେ ଯୁବ ଛାତ୍ର ପିଢ଼ୀ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି କହିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ ଯେ ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ ସାରା ବିଶ୍ୱ ସମ୍ମାନ ଦେଉଥିଲା ବେଳେ ବର୍ତମାନ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ନିଜକୁ ମହାତ୍ମା ବଖାଣିବା ଅତ୍ୟନ୍ତ ଲଜ୍ଜାକର କଥା । ଯୁବପିଢୀ ଗାନ୍ଧୀ ଆଦର୍ଶରୁ ବିଚୁ୍ୟତ ନହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଭାଗବତ ଶୁକ୍ଳା ଗାନ୍ଧି ଓ ଶାସ୍ତ୍ରୀ ଦର୍ଶନ ଉପରେ ସାରଗର୍ଭକ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରାମଧୁନ, ବୈଷ୍ଣବଜନ ଓ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ଶେଷରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ରୁଦ୍ରରାଜୁ, ଅନିଲ୍ ଚୌଧୁରୀ, ମସ୍ତାନ ଭାଲି ଏବଂ କଂଗ୍ରେସ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।