ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣୀ

Jan 31, 2019 - 16:32
 157
ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣୀ
ଅନୁଗୋଳ,୩୦/୧(ସକାଳଖବର): ବଅଁରପାଳ ବିଇଓ ଅଫିସର ମୁଖ୍ୟ କିରାଣୀ ରଞ୍ଜନ କୁମାର ନାୟକ ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି । ରଞ୍ଜନ ପରତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କଠାରୁ ପୂର୍ବରୁ ଥିବା ବକେୟା ବିଲ ପାସ କରାଇବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ସକାଳ ୧୧.୪୫ ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ସୂଚନା ଯେ, ଶିକ୍ଷକ ପ୍ରଶାନ୍ତ ସାହୁଙ୍କର କିଛି ବିଲ ପାସ ପାଇଁ କିରାଣୀଙ୍କ ପାଖକୁ ବାରମ୍ବାର ଧାଉଁଥିଲେ । ଆଉ ଟଙ୍କା ନଦେଲେ ବିଲ ପାସ ହୋଇପାରିବ ନାହିଁ ବୋଲି କିରାଣୀ ରଞ୍ଜନ ରୋକ୍ଠୋକ୍ ଶୁଣାଇ ଦେଇଥିଲେ । ଫଳରେ ପ୍ରଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ପ୍ରଶାନ୍ତଙ୍କଠାରୁ କିରାଣୀ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ । ରଞ୍ଜନଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୩ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି ।