ଜିଲ୍ଲାରେ ‘ସବୁଜ କୋର୍ଟ ପ୍ରକଳ୍ପ”
ଅନୁଗୋଳ,୮/୨(ସକାଳଖବର): ରାଜ୍ୟର ସମସ୍ତ ନ୍ୟାୟାଳୟ ପରିସରକୁ ସଫାସୁତୁରା ରଖିବା ନିମନ୍ତେ ଗତମାସ ୨୧ ତାରିଖରେ ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି କେ ଏସ ଝାଭେରୀ ଭିଡ଼ିଓ କନଫରେନ୍ସ ଜରିଆରେ ପରିଷ୍କାର ଓ ସବୁଜ କୋର୍ଟ ପ୍ରକଳ୍ପକୁ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରତ୍ୟୁଷରେ ଜିଲ୍ଲା କୋର୍ଟ ପରିସରରେ ଆରମ୍ଭ ହୋଇଛି ପରିଷ୍କାର ଓ ସବୁଜ କୋର୍ଟ ପ୍ରକଳ୍ପ । ଜିଲ୍ଳା ଓ ଦୌରାଜଜ ଶ୍ରୀ ଅଶାନ୍ତ କୁମାର ଦାସ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ନିଜେ ଝାଡ଼ୁମାରି ଶୁଭାରମ୍ଭ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ଆମେ ସମସ୍ତେ ସଚେତନ ହେବା ସହ ନିଜ କୋର୍ଟ ପରିସରକୁ ସଫାସୁତୁରା ରଖିବା ନିମନ୍ତେ ଜିଲ୍ଲା ଓ ଦୌରା ଜଜ ଆହ୍ୱାନ କରିଥିଲେ । ଆମେ ମାନସିକ ଓ ଶାରିରିକ ଭାବେ ସୁସ୍ଥ ରହିବା ପାଇଁ ସଫାସୁତୁରା ରଖିବା ସହ ଏହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଦେ୍ଧଶ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରପତି ଓ ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସମେତ କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନେ ହାତରେ ଝାଡ଼ୁ ଧରି ସାମୁହିକ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଜଜ ଶ୍ରୀମତୀ ରୂପାଶ୍ରୀ ଚୌଧୁରୀ, ଫାମିଲି ଜଜ ଶ୍ରୀ ସୌମେନ୍ଦ୍ର ରାଜଗୁରୁ, ଏସ ଡ଼ି ଜେଏମ ଶ୍ରୀ ବିନୟ କୁମାର ପାତ୍ର, ଜେଏମ ଏଫ ସି ଶ୍ରୀ ଅରଜିତ ଦାସ, ଏଡ଼ିଜେ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଜିଲ୍ଳା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅଭିନନ୍ଦିତା ପଣ୍ଡା, ପ୍ରୋବେସନରେ ଥିବା ସିଭିଲ ଜଜ ଶ୍ରୀ ସଂଜିବ ପଣ୍ଡା ଓ ଶୃତି ସ୍ୱରୁପା ସାହୁ, କୋର୍ଟ ମ୍ୟାନେଜର ସୁମନ କୁମାର ଆଚାର୍ଯ୍ୟ, ବାର ଆସୋସିଏସନର ସଭାପତି ଶ୍ରୀ ଦିଳ୍ଳିପ ଦାସ, ସରକାରୀ ଓକିଲ ଶ୍ରୀ ମହେନ୍ଦ୍ର କୁମାର ବସ୍ତିଆ, ବରିଷ୍ଠ ଆଇନଜୀବୀ ଶ୍ରୀ ସୁବାସ ମିଶ୍ରଙ୍କ ସମେତ ଜିଲ୍ଳା କୋର୍ଟ ଓ ବାର ଆସୋସିଏସନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।