ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ମହୁଲ କାରବାର

Apr 20, 2019 - 13:58
 160
ମାଲକାନଗିରି, ୧୯/୪(ସକାଳଖବର): ମାଲକାନଗିରି ଜିଲ୍ଲାରେ ବାର୍ଷିକ ଲକ୍ଷାଧିକ କ୍ୱିଂଟାଲ ମହୁଲ ସଂଗ୍ରହ ହେଉଥିଲେ ମଧ୍ୟ ବ୍ୟବସ୍ଥାଗତ ତୃଟି ଯୋଗୁଁ ଆଦିବାସୀ ମାନେ ଶୋଷଣର ଶିକାର ହେଉଛନ୍ତି । ସରକାରୀ ସ୍ତରରେ ମହୁଲ କ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହି କାରବାର କିଛି ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି । ଏଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ପାଉଥିବା ବେଳେ ପରିଶ୍ରମ କରି ଏହାକୁ ଜଙ୍ଗଲରୁ ସଂଗ୍ରହ କରୁଥିବା ଆଦିବାସୀଙ୍କୁ ସେମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିପାରୁନି । ପ୍ରତ୍ୟେକ ବର୍ଷ ମାର୍ଚ୍ଚରୁ ମଇ ମାସ ପର୍ଯ୍ୟନ୍ତ ଆଦିବାସୀ ମହିଳା, ପୁରୁଷ ଏବଂ ଛୋଟ ଛୋଟ ପିଲାମାନେ ଜଙ୍ଗଲ ଓ ରାସ୍ତା କଡ଼ରେ ଥିବା ମହୁଲ ଗଛରୁ ପାଚି ଝଡି ପଡିଥିବା ମହୁଲ ଫୁଲକୁ ସଂଗ୍ରହ କରିଥାନ୍ତି । ମହୁଲ ବାସ୍ନାରେ ଆକର୍ଷିତ ହୋଇ ଗଛମୂଳକୁ ଛୁଟି ଆସୁଥିବା ଜଙ୍ଗଲି ଭାଲୁକୁ ଖାତିର ନକରି ମହୁଲ ସଂଗ୍ରହ କରିଥାନ୍ତି ଏମାନେ । ଗୋଟିଏ ପରିବାର ଦିନକୁ ପ୍ରାୟ ୫ ରୁ ୭ କେ.ଜି. ମହୁଲ ଫୁଲ ସଂଗ୍ରହ କରନ୍ତି । ପରେ ତାହାକୁ ଶୁଖାଇ ବଜାରରେ ବିକ୍ରୀ କରିଥାନ୍ତି । ମାଲକାନଗିରି ଜିଲ୍ଲାରେ ବାର୍ଷିକ ୧ ଲକ୍ଷ କ୍ୱିଂଟାଲ ମହୁଲ ସଂଗ୍ରହ ହେଉଥିବା ଏକ ବେସରକାରୀ ଆକଳନରୁ ଜଣାପଡିଛି । କେତେକ ଆଦିବାସୀ ଗ୍ରାମ ଗୁଡିକରେ ସଂଗୃହିତ ମହୁଲରୁ ସେମାନଙ୍କ ପାରମ୍ପରିକ ମହୁଲି ମଦ ପ୍ରସ୍ତୁତ କରି ମହିଳା ମାନେ ବିକ୍ରୀ କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି । ରାଜ୍ୟ ସରକାରଙ୍କ ନୂତନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ ଆଇନ ଅନୁଯାୟୀ ୬୭ଟି ଲଘୁ ବନଜାତ ଦ୍ରବ୍ୟର ଅଧିକାର ଜଙ୍ଗଲ ବିଭାଗରୁ ଆଣି ଗ୍ରାମପଂଚାୟତ ଅଧିନରେ ରଖାଯାଇଛି । ଏହି ଆଇନ୍ ଅନୁସାରେ ମହୁଲ ଉପରେ ପୂର୍ବରୁ ଥିବା ରୟାଲଟି ଉଚ୍ଛେଦ କରାଯାଇଛି । ମହୁଲ ସଂଗ୍ରହ, ବିକ୍ରୀ ଏବଂ ଏହାକୁ ଗଚ୍ଛିତ ରଖିବା ପାଇଁ ଗ୍ରାମପଂଚାୟତ ଅନୁମତି ଦେବାର ନିୟମ ରହିଛି । ଅପରପକ୍ଷେ ଅବକାରୀ ଆଇନ ଅନୁଯାୟୀ ବ୍ୟକ୍ତିଗତ ଭାବେ ଜଣେ ୧୫ କ୍ୱିଂଟାଲରୁ ଅଧିକ ମହୁଲ ଗଚ୍ଛିତ ରଖିବା ପାଇଁ ଅବକାରୀ ବିଭାଗରୁ ଲାଇସେନ୍ସ ହାସଲ କରିବା ଆବଶ୍ୟକ । ମହୁଲ ସଂଗ୍ରହ କରୁଥିବା ଆଦିବାସୀ ମାନେ ଏହି ଲାଇସେନ୍ସ ହାସଲ କରିପାରୁନଥିବାରୁ ବାଧ୍ୟ ହୋଇ ସଂଗୃହୀତ ମହୁଲକୁ ନିକଟସ୍ଥ ଲାଇସେନ୍ସଧାରୀ ବ୍ୟବସାୟୀଙ୍କୁ ଅତି କମ୍ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଅଧିକ ପରିମାଣର ମହୁଲ ଗଚ୍ଛିତ ରଖିଲେ ଆଦିବାସୀଙ୍କ ନାମରେ ଅବକାରୀ ବିଭାଗ ମାମଲା ରୁଜୁ କରୁଛି । ତେଣୁ ସେମାନେ ବାଧ୍ୟ ହୋଇ ଗ୍ରାମ୍ୟ ବ୍ୟବସାୟୀଙ୍କୁ ଅତି କମ୍ ଦରରେ ବିକ୍ରୀ କରି ଦେଉଛନ୍ତି ।