ବିଷାକ୍ତ ଧୂଆଁ ବଳୟରେ ଇସ୍ପାତ ସହର

Mar 31, 2022 - 05:44
 49
ବିଷାକ୍ତ ଧୂଆଁ ବଳୟରେ ଇସ୍ପାତ ସହର
ରାଉରକେଲା : ଗତ ୩ ଦିନ ଧରି ପାଉଁଶକଣା ଓ ଧଳାଧୂଆଁରେ ଆଚ୍ଛାଦିତ ହୋଇଯାଉଛି ଇସ୍ପାତ ସହର। ଘରଦ୍ୱାର, ସବୁଜିମା ଯୁ୍ଆଡ଼େ ଦେଖିବ ଧଳାଧୂଆଁ। ଏହି ଧୂଆଁର ପ୍ରଭାବରେ ସହରର ଅନେକ ଅଞ୍ଚଳରେ ବୃଦ୍ଧବୃଦ୍ଧା ଓ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ସମସ୍ତଙ୍କର ଆଖି ଜଳୁଛି। ଠିକ୍‌ ଭାବେ ବାଟ ଦିଶୁନି। ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ, ଏପରିକି ତା’ର ଆହୁରି ଘଣ୍ଟେ ଦୁଇଘଣ୍ଟା ପର୍ଯ୍ୟନ୍ତ ଧୂଆଁ ରାଉରକେଲା ଓ ଆଖପାଖ ଅଞ୍ଚଳର ଆକାଶରୁ ହଟୁନି କି ଲୋକଙ୍କ କଷ୍ଟ କମୁନି। ଉଲ୍ଲେଖନୀୟ ଯେ ପ୍ରାୟ ୪ଦିନ ତଳେ ରାଉରକେଲା ଭିତରେ ଥିବା ଦୁର୍ଗାପୁର ପାହାଡ଼ରେ ନିଆଁ ଲାଗିଥିଲା। ଧୂଆଁ ସେହି କାରଣରୁ ହେଉଛି ବୋଲି କେହି କେହି କହୁଥିବାବେଳେ, କେହି କେହି ସନ୍ଦେହ କରୁଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାରୁ ଏହି ଧୂଆଁ ନିର୍ଗତ ହେଉଛି! ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ସମସ୍ୟା ଉପୁଜିଛି ଜାଣିପାରୁନି ପ୍ରଦୂଷଣ ବିଭାଗ। ବିଷାକ୍ତ ଧୂଆଁରେ ସହରବାସୀ ଘାଣ୍ଟି ହେଉଥିଲେ ମଧ୍ୟ ବନବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ପ୍ରଦୂଷଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହୁଁ। ଯାହାକୁ ନେଉ ଜନ ଅସନ୍ତୋଷ ବଢୁଛି।