ବିଜେପୁର ବିକାଶ କାର୍ୟ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ବେଳେ ବିଜେପୁରବାସୀଙ୍କୁ ‘ବିଜେପୁର ବିକାଶ ଦାୟିତ୍ୱ ମୋର’ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ଭାବେ ବିଜେପୁର ବିକାଶ କାର୍ୟ୍ୟ ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି । ବିଜେପୁରକୁ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ସଚିବାଳୟରେ ବିଜେପୁର ନିର୍ବାଚନମଣ୍ଡଳୀରେ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।
ବୈଠକରୁ ଜଣାଯାଇଛିଯେ, ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଇସିଲଟ, ବିଜେପୁର ଓ ବରପାଲିରେ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ତ୍ତ ବିଭାଗ ପକ୍ଷରୁ ୯.୩୮ କୋଟି ଟଙ୍କା ବିନିଯୋଗରେ ବରପାଲିରେ ଗୋଟିଏ ରେଲୱେ ଓଭରବ୍ରିଜ୍, ଗୋଟିଏ କେନାଲ ସର୍ଭିସ୍ ରୋଡ଼ ଓ ବରପାଲି-ବିଜେପୁରରେ ଗୋଟିଏ ସଡ଼କ ପ୍ରକଳ୍ପର ଉନ୍ନତିକରଣ କାର୍ୟ୍ୟ ଜାରିରହିଛି । ସେହିପରି ୩.୫୨ କୋଟି ଟଙ୍କା ବିନିଯୋଗରେ ୭ଟି ଅଣଯୋଜନା ସଡ଼କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୫.୬୬ କୋଟି ଟଙ୍କା ବିନିଯୋଗରେ ୪ଟି ସଡ଼ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୩୪ ସଡ଼କ ପ୍ରକଳ୍ପର ଉନ୍ନତିକରଣ ଓ ମରାମତି କାର୍ୟ୍ୟ ମଧ୍ୟରୁ ୨୯ଟି କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ବାକି ୫ଟିର କାର୍ୟ୍ୟ ଖୁବଶୀଘ୍ର ଶେଷ ହେବବୋଲି ଜଣାଯାଇଛି । ୩୬ ଅଣଯୋଜନା ବିଲଡ଼ିଂ ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଜେପୁରରେ ୨ କୋଟି ଟଙ୍କା ବିନିଯୋଗରେ ଏକ ମଡେ଼ଲ ସ୍କୁଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ଅଙ୍ଗ ନଦୀ ଉପରେ ୧୨ କୋଟି ୮୬ ଲକ୍ଷ ଟଙ୍କା ବିନିଯୋଗରେ ଏକକ ବୃହତ୍ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ୨୬୪ ଗାଁରୁ ୧୮୨ ଗାଁର ବିଦୁ୍ୟତୀକରଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୮୨ଟି ଗ୍ରାମରେ କାର୍ୟ୍ୟ ଚାଲିଛି । ୱେସକୋ ଜରିଆରେ ୬୧ ଟ୍ରାନ୍ସଫର୍ମର ଉନ୍ନତୀକରଣ କରାଯାଇଛି । ସେହିପରି ୩ଟି ଯାକ ବ୍ଲକରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକରେ ୬୩ ପାଇପ ଜଳ ପ୍ରକଳ୍ପ ନିର୍ମାଣ ବିଭିନ୍ନ ସ୍ତରରେ ରହିଥିବାବେଳେ ୨୭୪ ଟୁ୍ୟବେଲର ମରାମତି ସମ୍ପୂର୍ଣ୍ଣ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପରେ ଅଗ୍ରଗତି ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
୨୦୧୭ ଡିସେମ୍ବରରୁ ୨୦୧୮ ମଇ ମଧ୍ୟରେ ୨୦ ଉଠା ଜଳସେଚନ ପ୍ରକଳ୍ପ କାମ ମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ହୋଇଛି ଓ ୧୦ଟି କାମ ଚାଲିଛି । ୨ କୋଟି ୨୦ ଲକ୍ଷ ଟଙ୍କା ବିନିଯୋଗରେ ଚାଲିଥିବା ଏହି କାମର ଜଳସେଚନ କ୍ଷମତା ହେଉଛି ୪୪୦ ହେକ୍ଟର । ଜମୁଟପଲ୍ଲୀ ମେଗା ଲିଫ୍ଟ ପ୍ରକଳ୍ପ ମାର୍ଚ୍ଚରେ ଉଦଘାଟିତ ହୋଇଛି । ସେହିପରି ୧୯୨୦୦ ହେକ୍ଟର ଜଳସେଚନ କ୍ଷମତା ବିଶିଷ୍ଟ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ୟ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।
ପ୍ରକଳ୍ପଗୁଡ଼ିକର ମାନକୁ ଧ୍ୟାନ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଦୁଇ ମାସ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଜେପୁର ଉନ୍ନୟନ କାର୍ୟ୍ୟ ସମୀକ୍ଷା କରିବେ ।
ବୈଠକରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟିକା ରୀତା ସାହୁ, ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।