ବିଜେପିର ‘ମିଶନ ଓଡ଼ିଶା’ : ଯେତିିକି ଆଶା, ସେତିକି ହତାଶା

Jun 20, 2018 - 20:32
 202
ବିଜେପିର ‘ମିଶନ ଓଡ଼ିଶା’ : ଯେତିିକି ଆଶା, ସେତିକି ହତାଶା
ଭୁବନେଶ୍ୱର,୨୦/୬ (ସକାଳଖବର) : ଓଡ଼ିଶା ଉପରେ ବିଜେପି ଦୃଷ୍ଟିନିବଦ୍ଧ କରିଥିବାବେଳେ କଂଗ୍ରେସର ଉତ୍ଥାନ ବିଜେପିର ନିଦ ହଜାଇ ଦେଇଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ହେବା ନିଶ୍ଚିତ ହୋଇଯାଇଛି । ଫଳରେ ପଂଚାୟତ ନିର୍ବାଚନ ଭଳି ସରକାରୀ ବିରୋଧୀ ଭୋଟର ସବୁତକ ଫାଇଦା ବିଜେପି ନେବାର ଆଉ ସମ୍ଭାବନା ନାହିଁ । ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ବିଜେପି ପୂର୍ବଭଳି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବ । ମହାସଦସ୍ୟସତା, ମହାସମ୍ପର୍କ ଅଭିଯାନ ସହ ଦଳ ବିଜେପି କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ରଖିଛି । ସେହିପରି ରାଜ୍ୟର ପ୍ରତିଟି ପରିବାରରେ ପହଁଚିବା ପାଇଁ ଦଳ ରାଜ୍ୟବ୍ୟାପୀ ଯାତ୍ରା କରିବା ପାଇଁ ଯୋଜନା କରିବ । ଆସନ୍ତା ଜୁଲାଇ ପହିଲାରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଦଳୀୟ ରଣନୀତି ଚୂଡ଼ାନ୍ତ କରାଯିବ । ରାଜ୍ୟର ନେତା, ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବା ପରେ ଶାହା ‘ମିଶନ ଓଡ଼ିଶା’ର ଯୋଜନା ସମ୍ପର୍କରେ ଘୋଷଣା କରିବେ ବୋଲି ବିଜେପି ଅଳିନ୍ଦରୁ ଜାଣିବାକୁ ମିଳିଛି । ଓଡ଼ିଶା ଉପରେ ଅମିତ ଶାହା ବିଶେଷ ଫୋକସ କରିବାର କାରଣ ହେଉଛି ସେ ହିଁ ଓଡ଼ିଶାରୁ ଦଳର ସକ୍ରିୟ ସଦସ୍ୟ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଦଳର ସଦସ୍ୟତା ସଂଖ୍ୟା ପୂର୍ବାପେକ୍ଷା ୮୬୧% ବୃଦ୍ଧି ପାଇଥିଲା । ପୂର୍ବରୁ ରାଜ୍ୟରେ ବିଜେପିର ସଭ୍ୟ ସଂଖ୍ୟା ୨୫୧୧୪୩ ଥିବାବେଳେ ତାହା ୩୧ ଲକ୍ଷ ୫୦ ହଜାର ୯୧୧କୁ ବୃଦ୍ଧି ପାଇଥିଲା । ତେବେ ମୂଳକଥାଟି ହେଉଛି ମହାସଦସ୍ୟତା ଅଭିଯାନ କାଳରେ ଦଳର ମିସ କଲ ସଭ୍ୟ ସଂଖ୍ୟାରେ ଉଲ୍ଳେଖନୀୟ ବୃଦ୍ଧି ଘଟିନଥିଲା । ଫଳରେ ଦଳ ନୂଆ ଟେକନିକ ଆଦରି ଥିଲା । ମିସ କଲ ନମାରିଲେ ଅନେକଙ୍କୁ ଦଳର ସଦସ୍ୟ କରିଦିଆଗଲା । ଦଳୀୟ କାର୍ଯ୍ୟାଳୟରୁ ଆସିଥିବା ଫୋନକୁ ଉଠାଇ ଦେଲେ ବି ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରି ନିଆଗଲା ବୋଲି ମେସେଜ ଦିଆଗଲା । ଯାହାକି ଅନେକଙ୍କୁ ସ୍ୱାଭାବିକ ଭାବେ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଗାଏମୋଟ କହିଲେ ମିସ କଲର ଅନେକ ବିଜେପି ସଦସ୍ୟ ଇତିମଧ୍ୟରେ ‘ମିସ୍’ ହୋଇ ଯାଇଛନ୍ତି କହିଲେ ଭୁଲ୍ ହେବନାହିଁ । ତେଣୁ ପ୍ରକୃତରେ ଦଳର ସଭ୍ୟ ସଂଖ୍ୟା ଜାଣିବା ପାଇଁ ଦଳ ପୁଣି ଉଦ୍ୟମ କରିବ ବୋଲି ଜାଣିବାକୁ ମିଳିଛି । ପୂର୍ବଭଳି ଦଳ ଆଉ କେତେକ ନୂଆ ପୁରୁଣା କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବାକୁ ଯୋଜନା ରଖିଛି । ଖାଲି ସେତିକିନୁହେଁ ଉତରପ୍ରଦେଶ ନିର୍ବାଚନ ପରେ ଓଡ଼ିଶାକୁ ବାଇକ ଆସିଥିବାବେଳେ ଆଉ ନୂଆ ବାଇକ୍ ମଧ୍ୟ କାର୍ଯ୍ୟକର୍ତାଙ୍କୁ ଯୋଗାଇ ଦିଆଯିବ । ସେହିପରି ସ୍ମାର୍ଟଫୋନ ଦ୍ୱାରା ସଂଗଠନକୁ ଟ୍ରାକ କରିବା ପାଇଁ ସ୍ମାର୍ଟଫୋନ୍ ମଧ୍ୟ କାର୍ଯ୍ୟକର୍ତାଙ୍କୁ ଦିଆଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ବିଜେପି ପାଇଁ ଏବେ ସହଯୋଗୀ ଚୟନ ଏକ ଆହ୍ୱାନ ସୃଷ୍ଟି କରିଛି । ନିକଟ ଅତୀତରେ ଯେଉଁ ରାଜ୍ୟରେ ବିଜେପି ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା ସେହି ରାଜ୍ୟମାନଙ୍କରେ ପ୍ରଭାବଶାଳୀ ଆଂଚଳିକ ଦଳଗୁଡ଼ିକ ବିଜେପିକୁ ସହଯୋଗ କରିଥିଲେ । କିନ୍ତୁ ଓଡ଼ିଶାରେ ସେଭଳି ଆଂଚଳିକ ଦଳ ନାହାନ୍ତି । ଯେଉଁ କେତେକ ଆଂଚଳିକ ଦଳ ରହିଛି ସେମାନଙ୍କର ଅଖା ବିରି ନାହିଁ । ଅର୍ଥାତ୍ ୱାଡର଼୍ମେମ୍ବରଟିଏ ବି ଜିତାଇବାର ସାମର୍ଥ୍ୟ ରଖିନାହାନ୍ତି । ସେହିପରି ଯେଉଁ ରାଜ୍ୟରେ ବିଜେପି ଅନ୍ୟ ଆଂଚଳିକ ଦଳକୁ ମାତ୍ ଦେବାରେ ସମର୍ଥ ହୋଇଥିଲା ସେଠାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇ ପଡ଼ିଥିଲା । ସେହି ମଉକାରେ ଟାଣୁଆ କଂଗ୍ରେସ ନେତାଙ୍କୁ ଦଳ ନିଜ ଆଡ଼କୁ ଟାଣିବାରେ ସମର୍ଥ ହୋଇଥିଲା । ଗୋଟିଏ ପଟେ ଆଂଚଳିକ ଦଳର ସହଯୋଗ ଓ ଅପରପକ୍ଷରେ କଂଗ୍ରେସର ଟାଣୁଆ ନେତାମାନେ ବିଜେପିରେ ଯୋଗ ଦେଉଥିବାରୁ ବିଜେପି ଉଲ୍ଳେଖନୀୟ ସଫଳତା ପାଇଥିଲା । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ । ଅପରପକ୍ଷରେ ଦୁର୍ବଳ କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେବାରେ ଲାଗିଛି । ଅର୍ଥାତ୍ ତାହା ବିଜେଡ଼ିକୁ ସୁହାଇବା ନିଶ୍ଚିତ ହୋଇପଡ଼ିଛି । ସ୍ୱାଭାବିକ ଭାବେ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି । ତେବେ ମୂଳକଥାଟି ହେଉଛି ଓଡ଼ିଶା ପାଇଁ ଅମିତ ଶାହା ମିଶନ ୧୨୦ର ଲକ୍ଷ୍ୟ ରଖିଥିଲେ ମଧ୍ୟ ବାସ୍ତବରେ ଲୋକସଭା ହାତେଇବା ଶାହାଙ୍କ ଲକ୍ଷ୍ୟ । ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର ଭଳି ପଶ୍ଚିମ ଓଡ଼ିଶାର ଲୋକସଭା କ୍ଷେତ୍ର ସହ କଟକ, ଭୁବନେଶ୍ୱର ଓ ପୁରୀ ଭଳି ଉପକୂଳ ଲୋକସଭା କ୍ଷେତ୍ରକୁ ବି ବିଜେପି ଆଖେଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ପହିଲାରେ ଶାହା କି ମନ୍ତ୍ର ଦେଉଛନ୍ତି ତାହା ଉପରେ ସବୁ ରାଜନୀତିକ ଦଳର ନିଘା ରହିବା ସ୍ୱାଭାବିକ ।