ବିଜେପି କ୍ଷମତାକୁ ଆସିଲେ ଆସନ୍ତା ୫ ବର୍ଷରେ ଓଡ଼ିଶାକୁ ସଶକ୍ତ କରାଯିବ : ଅମିତ୍

Apr 18, 2019 - 08:07
 152
ଭୁବନେଶ୍ୱର, ୧୭/୪(ସକାଳଖବର): ବିଜେପି କ୍ଷମତାକୁ ଆସିବାର ୯୦ ଦିନ ମଧ୍ୟରେ ଚିଟ୍ ଫଣ୍ଡ ଲୁଟେରା ଏବଂ ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଜେଲକୁ ପଠାଯିବା ସହ ଜମାକାରୀ ମାନଙ୍କୁ ତାଙ୍କର ଟଙ୍କା ଫେରସ୍ତ କରାଯିବ ବୋଲି ସମ୍ପୃକ୍ତ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଆସନ୍ତା ୫ ବର୍ଷରେ ଓଡ଼ିଶାକୁ ୧ ନମ୍ବର କରିବା ପାଇଁ ବିଜେପି ସଂକଳ୍ପ ବଦ୍ଧ ବୋଲି ସେ କହିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଢେ଼ଙ୍କାନାଳ, ମହିଁଷାପାଟ ଏବଂ ବଡ଼ମ୍ବା ଠାରେ ପୃଥକ ପୃଥକ ଭାବରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଲେ ଯେ, ହିଂସାକାଣ୍ଡ, ହତ୍ୟାକାଣ୍ଡ ଘଟାଇ ବିଜେପିକୁ ଦବେଇ ହେବ ନାହିଁ କି ଡରେଇ ରଖାଯାଇ ପାରିବ ନାହିଁ । ମଂଗୁଳିଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ନିଶ୍ଚିତ ଭାବରେ ଜେଲ ପଠାଯିବ । ଓଡ଼ିଶାର ବିକାଶ ପଥରେ ବାଧକ ସାଜିଥିବା ନବୀନ ନେତୃତ୍ୱ ବିଜେଡ଼ି ସରକାରକୁ ତୁରନ୍ତ ପରିବର୍ତନ କରିବା ଆବଶ୍ୟକ ରହିଛି । କେତେକ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ ନ କରି ଗରୀବ ଲୋକଙ୍କୁ ସେ ସୁବିଧାରୁ ବଂଚିତ କରିଛନ୍ତି । ଉଦାହରଣ ସ୍ୱରୂପ ଆୟୁଷ୍ମାନ ଯୋଜନା, ଭାରତୀୟ କିଷାନ ଯୋଜନା । ଓଡ଼ିଶାରେ ଡବଲ ଇଂଜିନ ରହିଲେ ଏହି ସବୁ ଯୋଜନାକୁ ଲାଗୁ କରାଯିବ ଏବଂ ଏ ବାବଦରେ ସହାୟତା ଗରୀବ ଚାଷୀ ମାନଙ୍କ ଆକାଉଂଟକୁ ସିଧାସଳଖ ପଠାଯିବ । ଆଜି ବି ଓଡ଼ିଶାରେ ୩୫ ପ୍ରତିଶତ ଲୋକଙ୍କ ଘରେ ପାଣି ନାହିଁ । ରାଜ୍ୟ ସରକାର ଓଡ଼ିଶାରେ ବିକାଶ କରିବେ କଣ, ବିନାଶ କରି ଚାଲିଛନ୍ତି । ପ୍ରାକୃତିକ ସମ୍ପଦକୁ ନିଜର ସମ୍ପତି ଭାବି କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି । କେନ୍ଦ୍ର ସରକାରଙ୍କର ୫ ବର୍ଷର ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶାର ବିକାଶ ପାଇଁ ଡବଲ ଇଂଜିନ୍ ଦରକାର । ବିଜେପିକୁ କ୍ଷମତା ଆଣିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଶେଷରେ ସେ କହିଛନ୍ତି ଯେ, ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆଣିଲେ ଦେଶ ସୁରକ୍ଷିତ ରହିପାରିବ ଏବଂ ଦେଶର ସମ୍ମାନ ଯେତେ ବଢ଼ିଛି ଆଗକୁ ଆହୁରି ମଧ୍ୟ ବଢ଼ିବ । ସେ ଆହୁରି ମଧ୍ୟ କହିଥିଲେ ବିଜେପି କ୍ଷମତାକୁ ଆସିଲେ ବଡ଼ମ୍ବା ଚିନି କଳକୁ ଚାଲୁ କରାଯିବ ଏବଂ ମାଣିଆବନ୍ଧ ଶାଢ଼ୀକୁ ବିଶ୍ୱରେ ପରିଚିତ କରାଯିବ । ଏହାପରେ ଶାହା କଟକରେ ରୋଡ଼ ସୋ କରିଥିଲେ । ଚଣ୍ଡି ଛକରୁ ବକ୍ସିବଜାର ପର୍ଯ୍ୟନ୍ତ ଏହି ରୋଡ଼ ସୋରେ ଆୟୋଜନ କରାଯାଇଥିଲା ।