ଆସିକା ଲୋକସଭା ନିର୍ବାଚନମଣ୍ଡଳିରେ ସିପିଆଇର ପ୍ରଚାର ଆରମ୍ଭ

Mar 16, 2019 - 14:12
 135
ଆସିକା ଲୋକସଭା ନିର୍ବାଚନମଣ୍ଡଳିରେ ସିପିଆଇର ପ୍ରଚାର ଆରମ୍ଭ
ଗଞ୍ଜାମ, ୧୫/୩(ସକାଳଖବର): ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନମଣ୍ଡଳିରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳି ଅନ୍ତର୍ଭୁକ୍ତ । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳି ମଧ୍ୟ ରହିଛି । ଆସିକା ଲୋକସଭା ନିର୍ବାଚନମଣ୍ଡଳିରେ ସିପିଆଇର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ପ୍ରାର୍ଥୀ ହେବା ନେଇ ଆପାତତଃ ଚୂଡ଼ାନ୍ତ ହୋଇସାରିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ସିପିଆଇର ସଂଗଠନ ରହିଛି । ତା’ ସାଙ୍ଗକୁ କଂଗ୍ରେସ ଦଳ ଏବଂ ଅନ୍ୟ ବାମପନ୍ଥୀ ଦଳ ପକ୍ଷରୁ ମଧ୍ୟ ରାମକୃଷ୍ଣଙ୍କୁ ସମର୍ଥନ ଦେବା ପାଇଁ ସ୍ଥିର ହୋଇଛି । ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ଦଳ ବିଜେଡ଼ିର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ଏଭଳି ସ୍ଥିତିରେ ରାମକୃଷ୍ଣ ପ୍ରାୟ ଏକ ସପ୍ତାହ ହେଲା ନିର୍ବାଚନ ମଣ୍ଡଳିର ବିଭିନ୍ନ ଗ୍ରାମକୁ ଗସ୍ତ କରି ପ୍ରଚାର କାର୍ଯ୍ୟ ଏକ ପ୍ରକାର ଆରମ୍ଭ କରି ଦେଇଛନ୍ତି । ନିଜର ସମର୍ଥକ ମାନଙ୍କ ଗହଣରେ ସେ ଦଳୀୟ କର୍ମୀ ମାନଙ୍କ ନିକଟରେ ପହଂଚି ଯାଇଛନ୍ତି । ସେ ଇତିମଧ୍ୟରେ ଆସିକା, ଶେରେଗଡ଼, ଧରାକୋଟ, ପାଟପୁର, ସାନଖେମୁଣ୍ଡି, ପିତଳ, କୋଦଳା, ପୋଲସରା ଏବଂ ଖଲ୍ଲିକୋଟ ଅଂଚଳକୁ ଗସ୍ତ କରି ଦଳୀୟ ସମର୍ଥକ, କଂଗ୍ରେସ ଏବଂ ବାମପନ୍ଥୀ ଦଳର କର୍ମୀଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡିଛନ୍ତି । ଏହି ଆସନକୁ ପୁଣି ଥରେ ସିପିଆଇ ନିଜ ଦଖଲକୁ ନେବାକୁ ଅପ୍ରାଣ ଉଦ୍ୟମ ଚଳାଇଛି ।