ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟ ଦ୍ୱାରା ଉଚିତ୍ ଜବାବ୍ ଦେବେ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୮/୪(ସକାଳଖବର): ରାଜ୍ୟ ତମାମ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକଙ୍କ ଉପରେ ଆକ୍ରମଣ ବିଜେଡିର ପରାଜୟ ପୂର୍ବର ହତାଶର ପ୍ରତିଫଳନ । ଯେଉଁମାନେ ଅହଙ୍କାରରେ ମଦମସ୍ତ ହୋଇ ବୁଲେଟର ସାହରା ନେଇଛନ୍ତି, ତାଙ୍କୁ ସାଧାରଣ ଜନତା ବିଶେଷ କରି ଗରିବ ଲୋକମାନେ ବାଲାଟ ବା ଭୋଟରେ ଜବାବ୍ ଦେବେ ବୋଲି ବିଜେଡି ପ୍ରାୟୋଜିତ ହିଂସା ବିରୋଧରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ଏଭଳି ରାଜନୈତିକ ହିଂସା ବା ପ୍ରତିପକ୍ଷକୁ ଆକ୍ରମଣ ପ୍ରଥମ ଥର ପାଇଁ ଦେଖାଦେଇଛି । ସରକାରୀ ଦଳକୁ ରାଜନୈତିକ ବିରୋଧ କାରଣରୁ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣର ନେତୃତ୍ୱ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଥିବା ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ୨-୩ ଜଣ ଅଣ ଓଡିଆ ସରକାରୀ ଅଧିକାରୀ ଓଡିଶାରେ ଗଣତନ୍ତ୍ରକୁ କଣ୍ଠୋରଧ କରିବା ପାଇଁ ଏକ ଦୁଃସାହସ କରିବା ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟ ତମାମ ହିଂସା,ଅପରାଧ ଓ ଭୟର ବାତାବରଣ ତିଆରି କରିବା ପାଇଁ ଚାହୁଁଛନ୍ତି । ଏ ରାଜନୈତିକ ହିଂସା ହାରିବାର ପୂର୍ବ ଲକ୍ଷଣ । ପାଦତଳୁ ଯାହାର ମାଟି ଖସିଯାଏ, ଯାହା ପାଖରେ ଲୋକସମର୍ଥନ କମିଯାଏ ସେ ମାଟପିଟ୍ କିଏ କରେ ।
ଓଡିଆ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ନେଇ ଡର ମୁଖ୍ୟମନ୍ତ୍ରୀଙ୍କ ମନରେ ଅଛି । ମୁଖ୍ୟମନ୍ତ୍ରୀ ଆସନ୍ନ ପରାଜୟରେ ରକ୍ତମୁଖା ହୋଇଯାଇଛନ୍ତି । ଓଡିଆ ଲୋକଙ୍କୁ ମରିବା ଓ ହତ୍ୟା କରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଛାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ କିଏ ଆଖି ଉଠାଇଦେଲେ ଫ୍ଲାଗମାର୍ଚ୍ଚ ହେବା ସହ ଲୋକମାନେ ଗିରଫ ହେଇଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦଳର ମନ୍ତ୍ରୀଙ୍କୁ କେହି ବିରୋଧ କଲେ ୩୦୭ ଦଫାରେ ମାମଲା ରୁଜୁ ହୋଇଯାଉଛି । କିନ୍ତୁ ପ୍ରତିପକ୍ଷଙ୍କୁ ହତ୍ୟା କଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । କାରଣ ମୁଖ୍ୟମନ୍ତ୍ରୀ ପଣ୍ଡିତ ପୁଅ, ତାଙ୍କୁ ଚାରି ଖୁନ୍ ମାଫ, ସୁନା ଚାମଚ ନେଇ ଜନ୍ମ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ଓଡିଶା ତାଙ୍କ ଜାଗୀର । ଏଥର ଓଡିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ହରାଇବେ । ରାଜ୍ୟ ସରକାର ବଦଳିବା ଦରକାର ନାରା ଘରେ ଘରେ ଗୁଞ୍ଜରଣ ହେଲାଣି । ଗତସପ୍ତାହରେ ଖୋର୍ଦ୍ଧାର ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନା ଏହି ରାଜନୈତିକ ହିଂସାର ଶୀକାର ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଚିନ୍ତାପ୍ରକଟ କରିବା ପରେ ମଧ୍ୟ ସେହି ସ୍ଥାନରେ ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି । ଅପରାଧୀଙ୍କୁ ଧରିବାର ପ୍ରଚେଷ୍ଟା ପୋଲିସର ନାହିଁ । ସେଠାକାର ଏସପିଙ୍କୁ ବଦଳି କରି ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱରୁ ଓହରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ନିଦେ୍ର୍ଧଶରେ ଏଠାକାର ନିର୍ବାଚନ ଅଧିକାରୀ କମା, ଫୁଲ ଷ୍ଟପ୍ ବି ଲଗାନ୍ତି ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।