ବାରିଷ୍ଟର୍ ରଣଜିତ୍ ମହାନ୍ତିଙ୍କ ଶ୍ରାଦେ୍ଧାତ୍ସବ

Sep 2, 2018 - 15:25
 216
କଟକ,୨ା୯(ସକାଳଖବର): ବାରିଷ୍ଟର୍ ରଣଜିତ୍ ମହାନ୍ତିଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ହାଇକୋର୍ଟ ବାର୍ ଆସୋସିଏସନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାରିଷ୍ଟର ରଣଜିତ୍ ମହାନ୍ତି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଆଇନ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫ ବର୍ଷିଆ ଆଇନ ପାଠ୍ୟକ୍ରମର ପ୍ରସାର କ୍ଷେତ୍ରରେ ସ୍ୱର୍ଗତ ରଣଜିତ୍ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଯୁବ ଆଇନଜୀବୀଙ୍କର ସେ ମଧ୍ୟ ପ୍ରେରଣାର ଉତ୍ସ ଥିଲେ ବୋଲି ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍କୋର୍ଟର ପୂର୍ବତନ ଅତିରିକ୍ତ ସଲିସିଟର୍ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ କେ.ଭି ବିଶ୍ୱନାଥନ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଇନ ପେଶାକୁ ସ୍ୱର୍ଗତ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଗରିବ, ଅସହାୟ, ଦଳିତ ଶ୍ରେଣୀର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ସଦା ସର୍ବଦା ସେ ଉଦ୍ୟମ କରି ଆସୁଥିଲେ ବୋଲି ଅଭିଭାଷଣରେ କହିଥିଲେ । ସ୍ମୃତି କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବୀ ବିପିନ୍ ବିହାରୀ ରଥ ପୌରୋହିତ୍ୟ କରି ରଣଜିତ୍ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର୍ ରଣଜିତ୍ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।