ବାଘ ଗଲା ଜଙ୍ଗଲକୁ, ଛାଡ଼ିଗଲା ଅନେକ ପ୍ରଶ୍ନ

Jul 6, 2018 - 18:44
 165
ବାଘ ଗଲା ଜଙ୍ଗଲକୁ, ଛାଡ଼ିଗଲା ଅନେକ ପ୍ରଶ୍ନ
ଭୁବନେଶ୍ୱର,୬ା୭(ସକାଳଖବର): ରାଜ୍ୟ ଜଙ୍ଗଲ ସଚିବଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ଅଭୟାରଣ୍ୟକୁ ଗତ ୨୧ ତାରିଖରେ ସ୍ଥାନାନ୍ତର ହୋଇଥିବା ୩ ବର୍ଷ ବୟସର ବାଘକୁ ୧୬ ଦିନ ପରେ ଉନ୍ମୁକ୍ତ ଜଙ୍ଗଲକୁ ଛଡ଼ାଯାଇଛି । ମଧ୍ୟପ୍ରଦେଶରୁ ଅଣାଯିବା ପରେ ଏହାକୁ ଜଙ୍ଗଲ ମଧ୍ୟରେ ଏକ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଥିଲା । ଆଜି ଅପରାହ୍ନରେ ବାଘକୁ ଖୋଲା ଜଙ୍ଗଲ ମଧ୍ୟକୁ ଛଡ଼ାଯାଇଛି । ବାଘର ଶାରୀରିକ ଓ ମାନସିକ ଅବସ୍ଥା ସୁସ୍ଥ ରହିଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ବନ୍ୟପ୍ରାଣୀ ବିଶେଷଜ୍ଞ, ଗବେଷକ, ପଶୁ ଡ଼ାକ୍ତର ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ତେବେ ବାଘ ଆଣିବା ଓ ବାଘକୁ ଜଙ୍ଗଲ ମଧ୍ୟକୁ ଛଡ଼ାଯିବା କାର୍ଯ୍ୟରେ କୌଣସି ବେସରକାରୀ ସଦସ୍ୟଙ୍କୁ ସଂଶ୍ଲିଷ୍ଟ କରାନଯିବା ନେଇ ବାଘର ସ୍ୱାସ୍ଥ୍ୟ ଓ ପରିବେଶ ସହ ଏହା କିପରି ଖାପ୍ ଖୁଆଇଛି ସେଥିନେଇ ସନେ୍ଦହ ସୃଷ୍ଟି ହୋଇଛି । ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟରେ ବେସରକାରୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଥାଏ । ଗଣନା କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥାଏ । ଶିମିଳିପାଳ ବ୍ୟାଘ୍ର ଅଭ୍ୟୟାରଣ୍ୟ ପାଇଁ ମଧ୍ୟ ବେସରକାରୀ ଅବୈତନିକ ସଂରକ୍ଷକ ମଧ୍ୟ ନିଯୁକ୍ତ ରହିଛନ୍ତି । ବନ୍ୟଜନ୍ତୁ ଓ ଜୈବ ବିବିଧତା ସଂରକ୍ଷଣ ନେଇ ସେମାନଙ୍କ ପରାମର୍ଶ ନିଆଯାଇଥାଏ । ଚିଲିକା ପକ୍ଷୀ ଗଣନା କାର୍ଯ୍ୟରେ ମଧ୍ୟରେ ବେସରକାରୀ ବିଶେଷଜ୍ଞ ନିଯୁକ୍ତ ରହିଥାନ୍ତି । କିନ୍ତୁ ସାତକୋଶିଆରେ କୌଣସି ବେସରକାରୀ ସଂଗଠକ, ପରିବେଶବିତ୍ ବା ବିଶେଷଜ୍ଞକୁ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ କରାଯାଇନଥିବାରୁ ଜଙ୍ଗଲ ବିଭାଗ କାର୍ଯ୍ୟର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଘର ବନ ପ୍ରବେଶ ସଂପର୍କରେ ବନାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ନାହିଁ । ବାଘକୁ କାହିଁକି ଏଠାକୁ ଅଣାଯାଇଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ବନବାସୀଙ୍କର ବୋଲି ସେମାନଙ୍କୁ ଅବଗତ କରାଯାଇ ନାହିଁ । ବାଘ ଆସିବା ପରେ ବାନ୍ଧବଗଡ଼ ଜଙ୍ଗଲରୁ ଅନ୍ୟ ଏକ ବାଘୁଣୀ ଆସିଥିଲା । ବାଘ ଖୁଆଡ଼ ସଂଲଗ୍ନ ଅନ୍ୟ ଏକ ଖୁଆଡ଼ରେ ବାଘୁଣୀକୁ ରଖାଯାଇଥିଲା । ତେବେ ଉଭୟ ବାଘ- ବାଘୁଣୀ ଘନିଷ୍ଠ ହୋଇନଥିବାବେଳେ ଆଜି ଅଚାନକ ବାଘକୁ ଖୁଆଡ଼ ମଧ୍ୟରୁ ବାହାରକୁ ଛଡ଼ାଯିବା ନିଷ୍ପତ୍ତି ପରିବେଶବିତ୍ଙ୍କୁ ମଧ୍ୟ ଚକିତ କରିଛି । ଜଙ୍ଗଲ ସଚିବଙ୍କୁ ବାଘ ଓ ଏହାର ଛଡ଼ାଯିବା ଯିବା ଦୃଶ୍ୟ ଦେଖାଇବା ପାଇର୍ ବନ ବିଭାଗ ପକ୍ଷରୁ ତକ୍ରାଳ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି । ଏସଂପର୍କରେ ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କୁ କୌଣସି ପୂର୍ବ ସୂଚନା ପ୍ରଦାନ କରାଯାଇ ନାହିଁ ।