ଏସ୍ଏଚଜି ଦ୍ୱାରା ଧାନ କିଣାକୁ ଚାଷୀଙ୍କ ବିରୋଧ

Aug 22, 2019 - 18:06
 97
ଜୟପୁର, ୨୨/୮(ସକାଳଖବର): ସ୍ୱୟଂ ସହାୟକ ଗୋଷ୍ଠି (ଏସଏଚଜି ଗୃପ୍ ) ଦ୍ୱାରା ଧାନ କିଣାକୁ ବିରୋଧ କରିଛନ୍ତି ଚାଷୀ । ବିଭିନ୍ନ କାରଣ ଦର୍ଶାଇ ଚାଷୀ ଏନେଇ ଅରାଜି ହେଉଛନ୍ତି । ଏହି ପରିପେକ୍ଷୀରେ ଆଜି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କଂଗା ପଚାଂୟତର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ମିଶନ ଶକ୍ତିର ପରିଚାଳନା ଅଧିକାରୀ ତଥା ଜୟପୁର ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କୁ ଘେରିଥିଲେ । ପୂର୍ବରୁ ସେହିପରି ଭାବରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଗ୍ରାମପଂଚାୟତବାସୀ ଆଗାମୀ ଖରିଫ ଋତୁରେ ଧାନ ଲ୍ୟାମ୍ପ ମାଧ୍ୟମରେ କ୍ରୟ ନକରି ପ୍ରଶାସନ ତରଫରୁ ଏକ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଧାନ କ୍ରୟ ନିମନ୍ତେ ସ୍ଥିର କରାଯାଇଥିବାରୁ ଏହାକୁ ବିରୋଧ କରି ଜୟପୁର ଉପଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ବାଲିଗାଁ ପଂଚାୟତରେ ଆଗାମୀ ଖରିଫ ଋତୁରେ ପ୍ରଶାସନ ତରଫରୁ ଧାନ କ୍ରୟ କରାଯିବାକୁ ଏକ ସ୍ୱୟଂ ସହାୟକ ଗୋଷ୍ଠିକୁ ନିଯୁକ୍ତ କରାଯିବାକୁ ସ୍ଥିର କରାଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଉକ୍ତ ପ୍ରସ୍ତାବକୁ ଚାଷୀ ମାନେ ଦୃଢ଼ ବିରୋଧ କରିଛନ୍ତି । କାରଣ ଏଥିରେ କୌଣସି ସରକାରୀ କର୍ମଚାରୀ ସଂପୃକ୍ତ ରହୁ ନଥିବା ସହ ମଣ୍ଡିରେ ଅବ୍ୟବସ୍ଥା ହେବାର ଯଥେଷ୍ଟ ସମ୍ଭାବନା ରହିିଥିବା ଗ୍ରାମବାସୀ ମାନେ କହିଥିଲେ । ଏଥିସହ ଗ୍ରାମବାସୀ ମାନେ ଜଣାଇଛନ୍ତି ଯେ, ବିଗତ ଦିନରେ ପାଣିପଚାଂୟତ ମାଧ୍ୟମରେ ଧାନ କ୍ରୟ କରାଯାଇଥିଲା । ଏହିଭଳି ବ୍ୟବସ୍ଥାରେ ନାନା ସମସ୍ୟା ଦେଖାଦେଇଥିଲା । ଏଥିରେ ଗଣ୍ଡଗୋଳ ସହ ମାରପିଟ୍ ଓ ଧାନ କ୍ରୟରେ ହେରଫେର୍ ମଧ୍ୟ ହୋଇଥିଲା । ତେଣୁ, ପ୍ରଶାସନ ପୁଣି ଲ୍ୟାମ୍ପ ମାଧ୍ୟମରେ ଧାନ କ୍ରୟ ବଦଳରେ ଏକ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଧାନ କ୍ରୟ କରାଗଲେ ଅନେକ ପ୍ରକାର ସମସ୍ୟା ଦେଖାଦେବା ସହ ଅସନ୍ତୋଷ ବଢିବାର ଯଥେଷ୍ଟ ସମ୍ଭାବନା ରହିଥିବା ଗ୍ରାମବାସୀ ମାନେ ଯୁକ୍ତି ବାଢିଥିଲେ । ଏନେଇ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜୟପୁର ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ବିଧାୟକ ଜୟପୁର ଏବଂ ଜୟପୁର ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମହିଳା ଶସକ୍ତିକରଣ ତଥା ମିଶନ ଶକ୍ତି ଦ୍ୱାରା ପ୍ରଶିକ୍ଷିତ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଖରିଫ ଋତୁ ପାଇଁ ଧାନ କିଣିବାର ବ୍ୟବସ୍ଥା କରିଛନ୍ତି । ଏହି ପରିପେକ୍ଷୀରେ କୋରାପୁଟ ଜିଲ୍ଲାର ପ୍ରାୟ ୮ଟି ପଚାଂୟତରେ ବଛା ଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠି ତରଫରୁ ଧାନ କିଣା ନେଇ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ମାନଦଣ୍ଡ ତଥା ସ୍ୱୟଂ ସହାୟକ ଗୋଷ୍ଠିର ଆର୍ଥୀକ ସୁଦୃଢ଼ତାକୁ ବିଚାରକୁ ନେଇ ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ସାମିଲ୍ କରାଯାଇଛି । କିନ୍ତୁ ଜୟପୁର ବ୍ଲକ କଙ୍ଗା ପଚାଂୟତରେ କେହି କାର୍ଯ୍ୟକ୍ଷମ ସ୍ୱୟଂ ସହାୟକ ଗୋଷ୍ଠି ନଥିବା ତଥା ଯେଉଁ ସ୍ୱୟଂ ସହାୟକ ଗୋଷ୍ଠିକୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଛି ସେହି ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ହିସାବ କିତାବ ଜାଣି ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ତେଣୁ, ପୂର୍ବପରି ଲ୍ୟାମ୍ପ୍ସ ଦ୍ୱାରା ଧାନ କ୍ରୟ ପାଇଁ ଚାଷୀ ମାନେ ଦାବି ଜଣାଇଛନ୍ତି ।