ବର୍ଷିୟାନ ସାମ୍ବାଦିକ ହରିହର ପ୍ରସାଦ ମହାଲିକଙ୍କ ପରଲୋକ

Feb 25, 2019 - 18:14
 145
ବର୍ଷିୟାନ ସାମ୍ବାଦିକ ହରିହର ପ୍ରସାଦ ମହାଲିକଙ୍କ ପରଲୋକ
କଟକ,୨୪ା୨(ସକାଳଖବର): ବର୍ଷିୟାନ ସାମ୍ବାଦିକ ହରିହର ପ୍ରସାଦ ମହାଲିକଙ୍କ ଏଠାରେ ଏକ ଘରୋଇ ହସପିଟାଲରେ ୮୯ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଅସୁସ୍ଥ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହୋଇଯିବା କ୍ଷଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ଚାରୁଲତା, ଦୁଇ ପୁତ୍ର ଜୟଦୀପ, ସତ୍ୟଦୀପ, କନ୍ୟା ପ୍ରଣତି ଉପସ୍ଥିତଥିଲେ । ତାଙ୍କ ପରଲୋକଗତ ସମ୍ବାଦ ପାଇ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଡକ୍ଟର ସତ୍ୟ ରାୟ, କ୍ରୀଡ଼ାବିତ ପ୍ରତାପ ଶତପଥୀ, ସାହିତି୍ୟକ ଗୌର ପଟ୍ଟନାୟକ, ଉମାଶଙ୍କର ମିଶ୍ର, ଦ୍ୱିପାୟନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟାଉନହଲ ରୋଡ଼ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ଖାନନଗରସ୍ଥିତ ଶ୍ମଶାନରେ ଶୋକାକୂଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ମହାଲିକ କଲେଜ ଜୀବନରୁ ସାମ୍ବାଦିକତାକୁ ଆଦରି ନେଇଥିଲେ । ସେ ନାଗପୁର ବିଶ୍ୱ ବିଦ୍ୟାଳୟରେ ୧୯୫୯-୬୦ ମସିହାରେ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏଥି ପୂର୍ବରୁ ୧୯୫୬-୫୭ରେ ରାଉରକେଲାର ସମାଜ, ପ୍ରଜାତନ୍ତ୍ର ଓ ବ୍ଲିଜର ସ୍ୱତନ୍ତ୍ର ପ୍ରତିନିଧି ଥିଲେ । ବମ୍ବେ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ମ୍ମ କିଛିଦିନ କାମ କରିଥିଲେ । ପ୍ରଜାତନ୍ତ୍ରର ଚଳଚ୍ଚିତ୍ର, ନାଟକ, କଳା-ସଂସ୍କୃତି ବିଭାଗ ଦାୟିତ୍ୱରେ ରହିବା ସହ ସେ ବମ୍ବେ ଫିଲ୍ପଫେୟାର ପତି୍ରକାର ଓଡ଼ିଶା ପାଇଁ ପ୍ରତିନିଧି ଥିଲେ । ୧୯୬୨-୬୩ ମସିହାରେ ପ୍ରଜାତନ୍ତ୍ରର ‘ମନଗହନ’ ପୃଷ୍ଠା ସମ୍ପାଦନା ଦାୟିତ୍ୱରେ ରହି ଏହି ପୃଷ୍ଠାକୁ ଜନାଦୃତ କରିପାରିଥିଲେ । ୧୯୯୫ ମସିହାରେ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଏହାପରେ ସେ ସମୟ ସମ୍ବାଦପତ୍ରର ପ୍ରଥମ ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।