ଫାଇନାଲ୍‌ରେ ଆର୍ଜେଣ୍ଟିନା; ତୃତୀୟ ସ୍ଥାନ ପାଇଁ ଲଢ଼ିବ କ୍ରୋଏସିଆ

Dec 14, 2022 - 06:00
 41
ଫାଇନାଲ୍‌ରେ ଆର୍ଜେଣ୍ଟିନା; ତୃତୀୟ ସ୍ଥାନ ପାଇଁ ଲଢ଼ିବ କ୍ରୋଏସିଆ
ଦୋହା: ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ମେସି ପୁଣି ଥ‌େର ଆଗକୁ ଆସିଯାଇଛନ୍ତି। ଶନିବାର ପ୍ରଥମ ସେମିଫାଇନାଲ୍‌ରେ କ୍ରୋଏସିଆକୁ ୩-୦ ଗୋଲ୍‌ରେ ଆର୍ଜେଣ୍ଟିନା ହରାଇଥିଲା ବେଳେ ମେସି ପଞ୍ଚମ ଗୋଲ୍‌ ସହ ଗୋଲ୍ଡେନ୍‌ ବୁଟ୍‌ ନିକଟତର ହୋଇଛନ୍ତି। ଏହି ପରାଜୟ ପରେ କ୍ରୋଏସିଆ ଶନିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ। ଏହି ମ୍ୟାଚ୍‌ରେ ଆରମ୍ଭରୁ ସମସ୍ତଙ୍କ ନଜର ମେସିଙ୍କ ଉପରେ ରହିଥିଲା। ତେବେ ୩୪ତମ ମିନିଟ୍‌ରେ ଆର୍ଜେଣ୍ଟିନାକୁ ପେନାଲ୍‌ଟି ଜରିଆରେ ପ୍ରଥମ ଗୋଲ୍‌ ମିଳିଥିଲା। ଜୁଲିଆନ୍‌ ଆଲ୍‌ଭାରେଜ୍‌ ପଡ଼ିଆ ଅଧାରୁ ବଲ୍‌ ନେଇ କ୍ରୋଏସିଆ ପୋଷ୍ଟ ଭିତରକୁ ପଶିଯାଇଥିଲେ। ତାଙ୍କୁ ରୋକିବା ପାଇଁ ଡୋମିନିକ୍‌ ଲିଭାକୋଭିକ୍‌ ଫାଉଲ୍‌ ମାରିଥିଲେ। ଫଳରେ ତାଙ୍କୁ ରେଫରି ୟେଲୋ କାର୍ଡ ଦେବା ସହ ଆର୍ଜେଣ୍ଟିନାକୁ ପେନାଲ୍‌ଟି ଉପହାର ଦିଆଯାଇଥିଲା। ମେସି ଏହାକୁ ସହଜରେ ଗୋଲ୍‌ରେ ପରିଣତ କରି ଗୋଲ୍ଡେନ୍‌ ବୁଟ୍‌ ପାଇଁ ପୁଣି ଥରେ ଦାବିଦାର ହୋଇଥିଲେ। ଏଥିସହିତ ମେସି ବିଶ୍ବକପ୍‌ରେ ୧୧ତମ ଗୋଲ୍‌ ଦେଇ ଆର୍ଜେଣ୍ଟିନା ପାଇଁ ଆଉ ଏକ କୀର୍ତ୍ତିମାନ କରିଥିଲେ। ୫ ମିନିଟ୍‌ ପରେ ଆଲ୍‌ଭାରେଜ୍‌ ପୁଣି ଥରେ ସମାନ ଢଙ୍ଗରେ ପୋଷ୍ଟ ଆଡ଼କୁ ଅଗ୍ରସର ହୋଇଥିଲା ବେଳେ ଏଥର ବଲ୍‌କୁ ସିଧାସଳଖ ନେଟ୍‌ ଭିତରେ ପହଞ୍ଚାଇ ଆର୍ଜେଣ୍ଟିନାକୁ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ କରାଇଥିଲେ। ଦ୍ବିତୀୟାର୍ଦ୍ଧରେ ଏହି ଚାପ ବଳବତ୍ତର ରହିବା ସହ ପୁଣି ମେସି-ଆଲ୍‌ଭାରେଜ୍‌ ଯୋଡ଼ି ଦଳର ତୃତୀୟ ଗୋଲ୍‌ ଦେଇଥିଲେ। ୭୧ ମିନିଟ୍‌ରେ ମେସି ପ୍ରତିପକ୍ଷ ଡିଫେଣ୍ଡରଙ୍କୁ ପାର୍‌ କରି ପୋଷ୍ଟ ପାଖରେ ପହଞ୍ଚିବା ସହ ଲିଭାକୋଭିକ୍‌ଙ୍କୁ ଚକ୍‌ମା ଦେଇ ଆଲ୍‌ଭାରେଜ୍‌ଙ୍କୁ ବଲ୍‌ ପାସ୍‌ ଦେଇଥିଲେ। ଫଳରେ ଆଲ୍‌ଭାରେଜ୍‌ ଦ୍ବିତୀୟ ଗୋଲ୍‌ ଦେଇ ବିଜୟ ବ୍ୟବଧାନ ବଢ଼ାଇଥିଲେ। ଏହି ଗୋଲ୍‌ ବଳରେ ଆଲ୍‌ଭାରେଜ୍‌ ମଧ୍ୟ ୪ ଗୋଲ୍‌ ସହ ଗୋଲ୍ଡେନ୍‌ ବୁଟ୍‌ ଦୌଡ଼ରେ ସାମିଲ ‌ହୋଇଛନ୍ତି। ଶେଷ ପର୍ଯ୍ୟନ୍ତ କ୍ରୋଏସିଆ ଆଉ ‌ଗୋଲ୍‌ କରିନପାରିବାରୁ ପରାଜୟ ବରଣ କରିଥିଲା।