ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ,୫୦୦ କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା
ଭୁବନେଶ୍ୱର,୧୮/୮( ସକାଳଖବର): ବନ୍ୟା ଯୋଗୁଁ ରାଜ୍ୟରେ ଘଟିଥିବା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଆଜି କେରଳ ଗସ୍ତ କରିଛନ୍ତି । ଏକ ସମୀକ୍ଷା ବୈଠକ ପରେ ସେ ରାଜ୍ୟର ବର୍ଷା ଓ ବନ୍ୟା ପ୍ରଭାବିତ କେତେକ ଅଂଚଳର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ । ଆକାଶ ମାର୍ଗରେ ସର୍ଭେକ୍ଷଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ସେଠାକାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ୟ୍ୟଟନ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ଏବଂ ଅନ୍ୟ ପଦାଧିକାରୀମାନେ ଥିଲେ ।
ବନ୍ୟା ଯୋଗୁ ଘଟିଥିବା ଧନଜୀବନ କ୍ଷତିକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ଏବଂ ଶୋକ ପ୍ରକାଶ କରିଥିଲେ ।
କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ବନ୍ଧରେ ବିସ୍ତୃତ ସମୀକ୍ଷା କରିଥିଲେ ।
ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ହେଉଛି ୧୨.୦୮.୨୦୧୮ରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦କୋଟି ଟଙ୍କା ବାଦ୍ ଅତିରିକ୍ତ ସହାୟତା । ସେ ମଧ୍ୟ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ଅନୁରୋଧ ମୁତାବକ ଖାଦ୍ୟଶସ୍ୟ ଏବଂ ଔଷଧ ସହିତ ରିଲିଫ ସହାୟତା ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।
ବନ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା ଜାତୀୟ ରାଜପଥକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ମରାମତି କରିବା ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ ରାଜପଥ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ଲାଇନ ମରାମତି କରିବା ପାଇଁ ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ଏନଟିପିସି ଏବଂ ପିଜିସିଆଇଏଲ ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କୁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପିଏମଏୱାଇ-(ଗ୍ରାମୀଣ)ର ସ୍ଥାୟୀ ଅପେକ୍ଷିତ ତାଲିକାରେ ଥିବା ଗ୍ରାମବାସୀ ଯେଉଁମାନଙ୍କର କି କଚ୍ଚା ଘର ଭୟଙ୍କର ବର୍ଷା ଓ ବନ୍ୟାରେ ଭାଙ୍ଗିଯାଇଛି ସେମାନଙ୍କୁ ଜରୁରୀକାଳିନ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯିବ ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧୀନରେ ୨୦୧୮-୧୯ ଶ୍ରମ ବଜେଟରେ ୫.୫ କୋଟି ଶ୍ରମ ଦିବସକୁ ମଂଜୁରି ପ୍ରଦାନ କରାଯାଇଛି । ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଆହୁରି ଅଧିକ ଶ୍ରମ ଦିବସ ଅନ୍ତର୍ଭୁକ୍ତ କରାଯିବା ନେଇ ବିଚାର କରାଯିବ ।
କେରଳର ବର୍ଷା ଓ ବନ୍ୟା ପରିସ୍ଥିତିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମିତ ଭାବେ ଅହରହ ଅନୁଧ୍ୟାନ କରଯାଉଛି । ଏଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି । ବନ୍ୟା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ନିୟମିତ ଭାବେ ସମ୍ପର୍କରେ ରହିଛନ୍ତି ।
ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅନୁଧ୍ୟାନ କାଳରେ ଏନଡିଆରଏଫରୁ ଅଗ୍ରୀମ ୧୦୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।
ରାଜ୍ୟକୁ ସନ୍ଧାନ ଏବଂ ଉଦ୍ଧାର କାର୍ୟ୍ୟରେ ସହାୟତା କରିବା ପାଇଁ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି । ଉଦ୍ଧାର ତଥା ରିଲିଫ କାର୍ୟ୍ୟରେ ମୋଟ ୩୮ଟି ହେଲିକପ୍ଟରକୁ ମୁତୟନ କରାଯାଇଛି । ଏଥିସହିତ ବିଭିନ୍ନ ସାମଗ୍ରୀର ପରିବହନ ପାଇଁ ୨୦ଟି ବାୟୁଯାନର ବ୍ୟବହାର କରାଯାଉଛି । ସେନା ୧୦ କଲମ ଏବଂ ୧୦ଟି ଇଞ୍ଜିନିୟରିଂ ଟାସ୍କ ଫୋର୍ସ ଦଳକୁ ମୁତୟନ କରିଛି ଏବଂ ଏଥିରେ ପାଖାପାଖି ୭୯୦ ଜଣ ତାଲିମପ୍ରାପ୍ତ କର୍ମଚାରୀ ସାମିଲ ଅଛନ୍ତି । ନୌସେନା ୮୨ଟି ଦଳ ମୁତୟନ କରିଛି । କୋଷ୍ଟଗାର୍ଡ଼ର ୪୨ଟି ଦଳ କାମ କରିବା ସହିତ ୨ଟି ହେଲିକପ୍ଟର ଏବଂ ୨ଟି ଜାହାଜ ସାମିଲ ଅଛନ୍ତି ।
ଅଗଷ୍ଟ ୯ ତାରିଖରୁ ଏନଡିଆରଏଫ, ସେନା ଏବଂ ନୌସେନା ମିଳିତ ଭାବେ ୬୭୧୪ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର ତଥା ରକ୍ଷା କରିବା ସହିତ ୮୯୧ ଜଣ ବ୍ୟକ୍ତିଙ୍କୁ ମେଡିକାଲ ସହାୟତା ପ୍ରଦାନ କରିଛନ୍ତି ।
ଏପରି ଭୟଙ୍କର ଦୁର୍ବିପାକଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ବନ୍ୟାଜଳ ଘେରରେ ଥିବା ଜନସାଧାରଣଙ୍କୁ ଉଦ୍ଧାର କରିବାକୁ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ଅନୁଧ୍ୟାନ ବେଳେ ଜାଣିପାରିଛନ୍ତି । ରାଜ୍ୟ ସରକାରଙ୍କୁ ତାଙ୍କର ସମସ୍ତ ଉଦ୍ୟମରେ କେନ୍ଦ୍ର ସରକାର ସମର୍ଥନ ପ୍ରଦାନ କରିବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।