ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ
ଭୁବନେଶ୍ୱର,୨୪/୯ (ସକାଳଖବର): ନୂଆଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ (ନେଭା) କର୍ମଶାଳା । ଏହାର ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଏହି ଅବସରରେ ଶ୍ରୀ ମେଘୱାଲ ନେଭାର ନୂତନ ୱେବସାଇଟ ଉନ୍ମୋଚନ କରିବା ସହ ଉପସ୍ଥିତ ୨୦୦ ପ୍ରତିନିଧିଙ୍କୁ ସ୍ୱଚ୍ଛତାର ଶପଥ ଦେଇଥିଲେ । ଉପସ୍ଥିତ ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି ଲୋକସଭା ଓ ରାଜ୍ୟସଭା ସଚିବାଳୟ, ୩୧ଟି ବିଧାନସଭା ଏବଂ ୭ଟି ବିଧାନ ପରିଷଦର ବରିଷ୍ଠ ଅଫିସରଗଣ ।
ଏହି ଦୁଇ ଦିନିଆ ସଚେତନତା କର୍ମଶାଳାରେ ଟେକ୍ନିକାଲ ପର୍ଯ୍ୟାୟ ସହ ଗ୍ରୁପ୍ ଆଲୋଚନା ମଧ୍ୟ ହେବ । ବିଭିନ୍ନ ବିଧାନସଭାରେ ଇ-ବିଧାନ କାର୍ଯ୍ୟକାରୀ ହେଉଥିବା ସମସ୍ୟାର ସମାଧାନ ଏବଂ ନେଭାର ସକରାତ୍ମକ ପ୍ରଭାବ ଉପରେ କର୍ମଶାଳାରେ ଆଲୋଚନା ହେବ । କର୍ମଶାଳାର ମୁଖ୍ୟ ଉଦେ୍ଧଶ୍ୟ ରହିବ, ସମସ୍ତ ବିଧାନସଭାକୁ ଇ-ବିଧାନ ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଟେକ୍ନୋଲୋଜି ବ୍ୟବହାର କରି ଗୃହର କାର୍ଯ୍ୟଧାରାକୁ ସ୍ୱଚ୍ଛ ଏବଂ ଦାୟିତ୍ୱବଦ୍ଧ କରିବା ।
ଉଦଘାଟନୀ ପର୍ଯ୍ୟାୟରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଲେ ଯେ, ଗୃହକାର୍ଯ୍ୟ ସମ୍ପର୍କରେ ସୂଚନା ଠିକ୍ ସମୟରେ ମିଳିବା ଉଚିତ ଏବଂ ଏଭଳି ଏକ ଫର୍ମାଟରେ ହେବା ଦରକାର ଯାହାକି ସମସ୍ତ ସଦସ୍ୟମାନଙ୍କ ବ୍ୟବହାର ଅନୁକୂଳ ହୋଇଥିବ । ସେ ତାଙ୍କ ସଂସଦୀୟ ଅଭିଜ୍ଞତାରୁ ଉଲ୍ଲେଖ କରିଥିଲେ ଯେ, କିପରି ଡିଜିଟାଲକରଣ ଏବଂ ସୂଚନାର ଉପଲବ୍ଧତା ଯୋଗୁ ଗୃହର ସମୟ, କ୍ଷମତା ଓ ସମ୍ବଳ ସଂଚୟ ହେବା ସହ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଘଟିିଥାଏ । ମନ୍ତ୍ରୀ କହିଥିଲେ ଯେ, ଏହି ଡିଜିଟାଲକରଣ ସ୍ୱଚ୍ଛତା ଓ ଉତରଦାୟିତ୍ୱ ବୃଦ୍ଧି କରିବା ସହ ଗୃହ କାର୍ଯ୍ୟରେ ଦୁର୍ନୀତିକୁ ସୁଯୋଗ ଦେଇ ନଥାଏ ।
ସଂସଦୀୟ ବ୍ୟାପାର ସଚିବ ଏସ.ଏନ. ତ୍ରିପାଠୀ କହିଥିଲେ ଯେ, ସଦସ୍ୟ କୈନ୍ଦ୍ରିକ ଏବଂ ଡିଜିଟାଲକରଣର ବିକେନ୍ଦ୍ରୀକରଣ ଗୃହକାର୍ଯ୍ୟର ସମସ୍ତ ତଥ୍ୟ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଇଥାଏ ।
ସେହିପରି ଏମ୍ନେଭା (ନେଭା-ମୋବାଇଲ ଆପ୍) ଏକ ବ୍ୟବହାର ଅନୁକୂଳ ଆପ୍, ଯାହାଦ୍ୱାରା ସଦସ୍ୟମାନେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଗୃହ କାର୍ଯ୍ୟର ସୂଚନା ପାଇପାରିବେ । ନେଭା-ମୋବାଇଲ ଆପ୍ ଆଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲର ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ ।
୨୦୧୮ ମୌସୁମୀ ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟ ନେଭାରେ ଲାଇଭ୍ ହୋଇଥିଲା । ଲୋକସଭାର ସୂଚନା କେବଳ ଅପଡେଟ୍ କରାଯାଇଥିଲା । ପଞ୍ଜାବ, ଉତର ପ୍ରଦେଶ, ବିହାର, ତାମିଲନାଡ଼ୁ, ସିକିମ୍, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ପୁଡୁଚେରୀ ଏବଂ ମଣିପୁର ବିଧାନସଭା ଏହି ଆପ ବ୍ୟବହାର ଆରମ୍ଭ କରି ସାରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନିୟମିତ ସମସ୍ତ ବିଧାନସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଶିକ୍ଷଣ ଜାରି ରହିଛି ।