ପୁରୁଷ ହକି ବିଶ୍ବକପ୍: ବେଲଜିୟମର ଦମଦାର ପ୍ରଦର୍ଶନ, ୭-୧ ଗୋଲ୍ରେ ହାରିଲା ଜାପାନ
ରାଉରକେଲା: ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବେଲଜିୟମ୍ ଦମଦାର ପ୍ରଦର୍ଶନ କରିଛି। ଜାପାନ ବିପକ୍ଷରେ ମ୍ୟାଚ୍ ବେଲଜିୟମ ବିଜୟ ହାସଲ କରିଛି। ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବେଲଜିୟମ ୭-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ବେଲଜିୟମ୍ ପକ୍ଷରୁ ବୋନ୍ ଟୋମ୍ ସର୍ବାଧିକ ୫ଟି ଗୋଲ୍ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ସାଥୀ ଖେଳାଳି ଚାର୍ଲିଅର କେଡରିକ୍ ୧୭ ଓ ଡୋକିଅର ସେବାଷ୍ଟାଇନ୍ ୫୧ ମିନିଟରେ ଗୋଲ୍ ଦେଇଥିଲେ। ବିପରୀତ ଦଳ ଜାପାନ ମାତ୍ର ଗୋଟିଏ ଗୋଲ୍ ଦେଇଥିଲା। କୁକୁଦା କେଣ୍ଟାରୋ ୪୫ ମିନିଟରେ ଏକ ଫିଲ୍ଡ ଗୋଲ୍ ଦେଇଥିଲେ।
ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍ ଡ୍ର ହୋଇଥିଲା। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍ ଦେଇଥିଲା ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।
ଆଜିର ଅନ୍ୟ ଏକ ପୁଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କଙ୍ଗାଳୁ ଦଳ ୯-୨ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍ ବ୍ଲେକ୍ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍ ସାମିଲ ଥିଲା। କ୍ରେଗ୍ ଟମ୍, ହାର୍ଭିଭ ଜେକ୍ ଓ ବିଆଲେ ଡାନିଏଲ୍ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ କକ୍ ତେଭିନ୍ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିଶ୍ବକପ-୨୦୨୩ର ଅଭିଯାନ ବିଜୟରୁ ଆରମ୍ଭ କରିଥିଲା। ଗତ ୧୩ ତାରିଖ ଦିନ ଫ୍ରାନ୍ସକୁ ୮-୦ ଗୋଲ୍ରେ ପରାସ୍ତ କରିଥିଲା।