ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ’
ପୁରୀ : ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁବାର ଦିନ ପୁରୀ ଷ୍ଟେସନରୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି। ‘ବନ୍ଦେ ଭାରତ’ ଟ୍ରେନ୍ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଗତି ଓ ପ୍ରଗତିର ଉଦାହରଣ ସାଜିଛି। ଏହା ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଆମ ଦେଶ ‘ସେବା ହିଁ ଭଗବାନ’ର ସାଂସ୍କୃତିକ ଚିନ୍ତାଧାରା ଆଧାରରେ ଆଗକୁ ବଢ଼ୁଛି। ପୁରୀ ଭଳି ତୀର୍ଥସ୍ଥଳ, ଶ୍ରୀଜଗନ୍ନାଥ ମନ୍ଦିର ଭଳି ପବିତ୍ର ସ୍ଥାନ, ସର୍ବଦା ଏଭଳି ଚିନ୍ତାଧାରାର ପ୍ରାଣକେନ୍ଦ୍ର। ଆଜି ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିବା ଏହି ବିକାଶର ସଦ୍ୟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ରାଉରକେଲା ଓ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପୁରୀ-କୋଣାର୍କ ନୂଆ ରେଳପଥ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିବେଦନ କରିଛନ୍ତି। ଏହି ରେଳପଥ ପାଇଁ ରାଜ୍ୟ ସରକାର ୫୦% ନିର୍ମାଣ ଖର୍ଚ୍ଚ ଓ ସମସ୍ତ ଜମିଜମା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁରୀ ରେଳ ଷ୍ଟେସନ୍ଠାରେ ଆୟୋଜିତ ସଭାରେ ଆଭାସୀ ଜରିଆରେ ଯୋଗଦେଇ ପ୍ରଧାନମନ୍ତ୍ରୀ ୮ହଜାର ୨ଶହ କୋଟି
ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ପ୍ରଥମେ ପୁରୀ ଓ କଟକ ରେଳଷ୍ଟେସନ୍ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ପରେ ବିଛୁପାଲି-ଝରତରଭା ନୂଆ ରେଳ ଲାଇନ୍, ସମ୍ବଲପୁର-ଟିଟଲାଗଡ଼ ଡବଲ୍ ଲାଇନ୍, ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ତୃତୀୟ ଲାଇନ୍ ଶତ ପ୍ରତିଶତ ବିଦ୍ୟୁତୀକରଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଭାରତ ଓ ଆକାଂକ୍ଷୀ ଭାରତୀୟଙ୍କ ପ୍ରତୀକ ସାଜିଛି। ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଜି ଅନେକ ବଡ଼ କାମ ହୋଇଛି। ଏ ସମୟ ଆଜାଦୀର ଅମୃତ ମହୋତ୍ସବ ସମୟ। ଆଜି ଦେଶର ଅଲଗା ଅଲଗା ରାଜ୍ୟରେ ଏଭଳି ୧୫ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି। ଏହି ଆଧୁନିକ ଟ୍ରେନ୍ ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି। ବନ୍ଦେ ଭାରତ ଟ୍ରେନ୍ ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି।
୨୦୧୪ ପୂର୍ବରୁ ୧୦ ବର୍ଷରେ ଓଡ଼ିଶାରେ ପ୍ରତିବର୍ଷ ମାତ୍ର ୨୦ କିମି ରେଳ ଲାଇନ୍ ବିଛା ଯାଉଥିଲା। ୨୦୨୨-୨୩ରେ ଓଡ଼ିଶାରେ ୧୨୦ କିମି ନୂ୍ଆ ରେଳ ଲାଇନ୍ ବିଛାଯାଇଛି। ୨୦୧୪ ପୂର୍ବରୁ ମାତ୍ର ୨୦ କିମି ରେଳପଥର ଦୋହରୀକରଣ ହେଉଥିଲା। କିନ୍ତୁ ଗତବର୍ଷ ଏହା ୩ଶହ କିଲୋମିଟରରେ ପହଞ୍ଚିଛି। ଓଡ଼ିଶାବାସୀ ଜାଣିଛନ୍ତି, ପାଖପାଖି ୩ଶହ କିମି ଲମ୍ବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କେତେ ବର୍ଷ ହେଲାଣି ଝୁଲି ରହିଥିଲା। ଆଜି ଏହି ପ୍ରକଳ୍ପର ତ୍ବରାନ୍ବିତ କରାଯାଇଛି। ଯେଉଁ କାମ ପାଇଁ ଓଡ଼ିଶାବାସୀଙ୍କୁ ବହୁବର୍ଷ ପୂର୍ବରୁ ଅପେକ୍ଷା ଥିଲା, ତାହା ଆଜି ପୂରଣ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଭାରତ ଏକ୍ସପ୍ରେସ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ପୁରୀକୁ ଆମେ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଛୁ। ଏଥିପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବିତ ପୁରୀର ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂପର୍କରେ ଆଲୋଚନା କରିଥିଲି। ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ପରାମର୍ଶକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରିବୁ ଓ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବୁ। ଯଦି ସହଯୋଗ ମିଳେ, ତେବେ ୩ରୁ ୪ ବର୍ଷ ଭିତରେ ଏହି ବିମାନବନ୍ଦର ପୂର୍ଣ୍ଣରୂପ ନେଇପାରିବ ଓ ପୁନର୍ବାର ପ୍ରଧାନମନ୍ତ୍ରୀ ଶ୍ରୀକ୍ଷେତ୍ର ଆସି ଏହି ପ୍ରକଳ୍ପକୁ ଲୋକାର୍ପିତ କରିବେ। ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦ୍ବୀପ ରେଳ ଲାଇନ୍ ଏହି ଅଞ୍ଚଳର ଆତ୍ମବିଶ୍ବାସ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଆମେ ନିଜସ୍ବ ବୁଲେଟ୍ ଟ୍ରେନ୍ ଖୁବଶୀଘ୍ର ପାଇପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ନୂଆ ଭାରତର ସାମର୍ଥ୍ୟ ଓ ସଂକଳ୍ପର ପ୍ରତୀକ ହେଉଛି ବନ୍ଦେ ଭାରତ। ଏହି ଟ୍ରେନ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ଗତି ଦେବା ସହ ଭାରତର ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରିବ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜାତୀୟ କାଉନ୍ସିଲ ସଦସ୍ୟ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ।