ପାର୍ବଣ ପାଇଁ ସହରରେ ଚାଲିଛି ତାଳିପକା କାମ

Oct 10, 2018 - 17:49
 225
ଅନୁଗୋଳ, ୧୦/୧୦ (ସକାଳଖବର): ପୂଜା ପୂର୍ବରୁ ଅନୁଗୋଳ ସହରରେ ରାସ୍ତା ମରାମତି କାର୍ଯ୍ୟ ଜୋରଦାର ଚାଲିଛି । ଯେଉଁଠି ଖାଲ ଖମା ରହିଛି ସେଠାରେ ପୁର୍ତ୍ତ ବିଭାଗ ପକ୍ଷରୁ ତାଳି ପକା କାମ କରାଯାଉଛି । ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କେତୋଟି ସ୍ଥାନରେ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ସହରବାସୀ ଅଭିଯୋଗ କରୁଛନ୍ତି । ରାସ୍ତାରେ ତାଳି ପକାଯିବା ପରେ ସେଠାରୁ ପିଚୁ ଓ ବଜୁରି ଉଠି ଯାଉଥିବା ସେମାନେ କହିଛନ୍ତି । ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଗୋଳ ସହରର ମୁଖ୍ୟ ରାସ୍ତାଗୁଡ଼ିକ ସଫେଇ ସହ ମରାମତି କରାଯାଉଛି । ପ୍ରଶାସନ ଦନବାରା ଆହୂତ ପୂଜା ପ୍ରସ୍ତୁତି ବୈଠକରେ ରାସ୍ତା ମରାମତି ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଥିଲା । ତଦନୁଯାୟୀ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଥିବା ଖାଲଗୁଡ଼ିକରେ ତାଳି ପକା କାର୍ଯ୍ୟ ଚାଲିଛି । ଏନେଇ ବିଭାଗ ପକ୍ଷରୁ ଦୈନିକ ଦୁଇ ତିନୋଟି ଗ୍ରୁପ୍ କରାଯାଇ କାର୍ଯ୍ୟ କରାଯାଉଛି । ଗୋଟିଏ ଗ୍ରୁପ୍ରେ ୪ ରୁ ୫ ଜଣ ଶ୍ରମିକଙ୍କ ସହ ମେଶିନ ନିୟୋଜିତ କରାଯାଇଛି । ଗତ ସପ୍ତାହ ମଧ୍ୟରେ ବସଷ୍ଟାଣ୍ଡ ପାଖରୁ ଇଣ୍ଡଷ୍ଟ୍ରିଛକ, ଥାନା ଛକ ଠାରୁ ଶିଶୁ ଉଦ୍ୟାନ ଛକ, କଲେକ୍ଟୋରେଟ୍ ରୋଡ଼ ଆଦିରେ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ମରାମତି ପରେ ସର୍କିଟ ହାଉସ ଓ ଅନ୍ୟ କେତେକ ସ୍ଥାନରେ ପିଚୁ ସହ ବଜୁରି ଉଠିଯାଇଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକାରୀ ନାରାୟଣ ଆଚାର୍ଯ୍ୟ କହିଛନ୍ତି, ପୂଜା ପାଇଁ ରାସ୍ତା ମରାମତି କାର୍ଯ୍ୟ ଚାଲିଛି । କେଉଁ ସ୍ଥାନରୁ ପିଚୁ ଉଠିଯାଇଛି ତାହା ଜଣାନାହିଁ । ମରାମତି ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ସେ କହିଛନ୍ତି ।