ଧୁମଧାମରେ ପୁଷପୁନି ପାଳିତ

Jan 21, 2019 - 17:35
 184
ନୂଆପଡା, ୨୧/୧(ସକାଳଖବର): ନୂଆପଡା ଜିଲ୍ଲାର ପୁରପଲ୍ଲୀରେ ସୋମବାର ପୌଷ ପୂର୍ଣ୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଗୋତି ଶ୍ରମିକ ପ୍ରଥା ଅନୁଯାୟୀ ଆଜିର ଦିନରେ ଶ୍ରମିକ ମାନେ ଗୋଟିଏ ଦିନ ପାଇଁ ସ୍ୱାଧୀନତା ପାଇଥାନ୍ତି ଏବଂ ତାର ସ୍ମୃତି ଉଦେ୍ଧଶ୍ୟରେ ଏହି ପୁଷପୁନି ପର୍ବ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଥାଏ । ଗ୍ରାମାଚଂଳରେ ପୂର୍ବେ ୧ ବର୍ଷ ପାଇଁ ବନ୍ଧକ ଶ୍ରମିକ ରୂପେ ମାଲିକଙ୍କ ପାଖରେ ନିୟୋଜିତ ହେଉଥିଲେ । ଆଜିର ଏହି ଦିନରେ ସେହି ଶ୍ରମିକ ମାନଙ୍କ କାର୍ଯ୍ୟ ଶେଷ ହେଉଥିବା ବେଳେ ଗୋଟିଏ ଦିନ ସ୍ୱାଧୀନତା ପାଇଥିବା ଯୋଗୁଁ ହର୍ଷ ଉଲ୍ଲାସରେ ପୁଷପୁନି ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ଶ୍ରମିକ, ଛୋଟ ଶିଶୁ ମାନେ ରଶି ସଡକରେ ବାନ୍ଧି ପଥ ଅବରୋଧ କରି ପଥିକଙ୍କ ଠାରୁ ସୋହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ ଅର୍ଥ ଆଦାୟ କରିଥାନ୍ତି । ତାଙ୍କର ଏହି ସ୍ୱାଧୀନତାକୁ ପଥିକ ମାନେ ମଧ୍ୟ ସାମିଲ ହୋଇ ଖୁସିରେ ୧ ରୁ ଆରମ୍ଭ କରି ୧୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରୁଥିବା ଦେଖାଯାଏ । ତେବେ ଗ୍ରାମାଚଂଳରେ ଶିଶୁମାନେ ମିଳିତ ରୂପେ ବାଦ୍ୟ ନୃତ୍ୟର ତାଳେ ତାଳେ ଛେରଛେରା ଦିଅ ଗୋ ମାଁ ଛେରଛେରା କହି ଘର ଘର ବୁଲି ଧାନ, ଚାଉଳ, ଟଙ୍କା ଆଦାୟ କରିଥାନ୍ତି । ଆଦାୟ କରିଥିବା ଅର୍ଥ ଏବଂ ଚାଉଳକୁ ନେଇ ସେମାନେ ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ଭୋଜିଭାତ କରି ଖାଇଥାନ୍ତି । ଏହି ଅବସରରେ ପ୍ରତ୍ୟେକଙ୍କ ଘରେ ମଣ୍ଡାପିଠା ତିଆରି ହୋଇଥାଏ । ବାଦ୍ୟ ନୃତ୍ୟର ତାଳକୁ ତାଳ ଦେଇ ଗୋଟିଏ ଦିନର ସ୍ୱାଧୀନତାର ପର୍ବରେ ମସଗୁଲ ହୋଇ ମଉଜ ମଜଲିସ କରିଥାନ୍ତି । ପୁଷପୁନିର ଅନ୍ୟ ଦିନ ପୁଷପୁନି ବାସି ପାଳନ କରିବା ଦେଖା ଯାଉଥିବା ବେଳେ ମଦ, ମାଂସ ଖାଇ ପୁଷପୁନିର ମଜା ଉଠାଇଥାନ୍ତି ।