ଧାମନଗରରେ ଗଣତି ଜାରି,ଗଣତି କେନ୍ଦ୍ରରେ ଲାଗିଛି ଏହି ପ୍ରତିବନ୍ଧକ

Apr 6, 2022 - 05:27
 63
ଧାମନଗରରେ ଗଣତି ଜାରି,ଗଣତି କେନ୍ଦ୍ରରେ ଲାଗିଛି ଏହି ପ୍ରତିବନ୍ଧକ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ଗତକାଲି ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଗଣତି କେନ୍ଦ୍ର ପାଖରେ ଭଦ୍ରକ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଛନ୍ତି। ଫଳରେ ଗଣତି କେନ୍ଦ୍ର ନିକଟକୁ ୪ ଚକିଆ ଯାନ ଯାତାୟତ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଏହି କଟକଣା ଗତ ରାତି ୯ଟାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ । ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି।