ଦିଲ୍ଲୀରୁ ଗିରଫ ହେଲେ ଅଷ୍ଟ୍ରେଲି‌ଆରେ ଯୁବତୀ ହତ୍ୟା କରିଥିବା ବ୍ୟକ୍ତି

Nov 25, 2022 - 09:24
 42
ଦିଲ୍ଲୀରୁ ଗିରଫ ହେଲେ ଅଷ୍ଟ୍ରେଲି‌ଆରେ ଯୁବତୀ ହତ୍ୟା କରିଥିବା ବ୍ୟକ୍ତି
ନୂଆଦିଲ୍ଲୀ: ୨୦୧୮ରେ କୁଇନ୍‌ସ୍‌ଲାଣ୍ଡ୍‌ରେ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ଭାରତୀୟ ପୁରୁଷ ନର୍ସ ଆଜି ଦିଲ୍ଲୀ ପୁଲିସଦ୍ବାରା ଗିରଫ ହୋଇଛନ୍ତି। ସଂଗୃହୀତ ତଥ୍ୟ ଅନୁସାରେ, ଭାରତକୁ ଖସି ପଳାଇ ଆସିବା ପୂର୍ବରୁ ୩୮ ବର୍ଷିୟ ନର୍ସ ରାଜୱିନ୍ଦର୍‌ ସିଂହ ଏକ ସମୁଦ୍ର ବେଳାଭୂମିରେ ୨୪ ବର୍ଷୀୟ ତୋୟା କର୍ଡିଙ୍ଗ୍‌ଲିଙ୍କୁ ହତ୍ୟା କରିଥିଲେ। ହତ୍ୟାର ସରବ୍ୟ ହେବା ବେଳେ ଫାର୍ମାସି ୱାର୍କର୍‌ କର୍ଡିଙ୍ଗ୍‌ଲି କୁଇନ୍‌ସ୍‌ଲାଣ୍ଡ୍‌ର‘ ୱାଙ୍ଗେଟି ବିଚ୍‌’ ବା ବେଳାଭୂମିରେ ତାଙ୍କ କୁକୁରକୁ ବୁଲାଉଥିଲେ। କର୍ଡିଙ୍ଗ୍‌ଲିଙ୍କୁ ହତ୍ୟା କରିବାର ୨ ଦିନ ପରେ ପତ୍ନୀ, ୩ ପିଲା ଓ ଚାକିରି ଛାଡ଼ି ସିଂହ ଅଷ୍ଟ୍ରେଲିଆରୁ ଖସି ପଳାଇ ଆସିଥିଲେ। ସିଂହଙ୍କୁ ଗିରଫ କରିବା ପାଇଁ ଆବଶ୍ୟକ ସୂଚନା ପ୍ରଦାନକାରୀଙ୍କୁ ୧ ନିୟୁତ ଅଷ୍ଟ୍ରେଲୀୟ ଡଲାର୍‌ ପୁରସ୍କାର ଦିଆଯିବ ବୋଲି କୁଇନ୍‌ସ୍‌ଲାଣ୍ଡ୍‌ ପୁଲିସ ଘୋଷଣା କରିଥିଲା। କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସୂଚନା ସଂଗ୍ରହ ନିମନ୍ତେ ସମ୍ଭବତଃ ଏହା ହେଉଛି କୁଇନ୍‌ସ୍‌ଲାଣ୍ଡ୍‌ ପୁଲିସ ତରଫରୁ ସବୁଠୁ ଅଧିକ ଅର୍ଥରାଶି ଘୋଷଣା। ସିଂହକୁ ପ୍ରତ୍ୟର୍ପଣ କରିବା ନିମନ୍ତେ ୨୦୨୧ ମାର୍ଚରେ ଅଷ୍ଟ୍ରଲୀୟ ସରକାର ଭାରତକୁ ଅନୁରୋଧ କରିଥିଲେ। ଚଳିତ ବର୍ଷ ନଭେମ୍ବର ମାସରେ ଅଷ୍ଟ୍ରେଲୀୟ ସରକାରଙ୍କର ଅନୁରୋଧ ଅନୁମୋଦନ କରାଯାଇଛି। ପଞ୍ଜାବ ଅନ୍ତର୍ଗତ ବୁଟ୍ଟର କଲାଣର ମୂଳ ବାସିନ୍ଦା ସିଂହ ଇନିସ୍‌ଫେଲ୍‌ ଟାଉନ୍‌ରେ ରହି ନର୍ସିଙ୍ଗ୍‌ ସହକାରୀଭାବେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବେ ଝିଅ କର୍ଡିଙ୍ଗ୍‌ଲି ସୁନ୍ଦରୀ ଓ ଧର୍ମବନ୍ତୀ ଥିଲେ ବୋଲି ମା’ ଭାନିସା ଗାର୍ଡିନର୍‌ କହିଛନ୍ତି। ତାଙ୍କ ଭାଷାରେ, କର୍ଡିଙ୍ଗ୍‌ଲିଙ୍କୁ ଅସମୟରେ ହତ୍ୟା କରାଗଲା। ତା’ର ବାନ୍ଧବୀମାନେ ବାହାସାହା ହୋଇ ପିଲାଛୁଆ ଧରି ବୁଲୁଥିବା ଦେଖି ମୋର ମନେହେଉଛି ସେ ତା’ ଜୀବନରେ ସବୁକିଛି ହରାଇଲା। ସୋମବାରଠାରୁ ସେ ସ୍ଥାୟୀ ଚାକିରି ଆରମ୍ଭ କରି ଥାଆନ୍ତା। କିନ୍ତୁ, ତାହା ସମ୍ଭବ ହେଲାନାହିଁ। ‌କର୍ଡିଙ୍ଗ୍‌ଲି ନିରୁଦ୍ଦିଷ୍ଟ ହୋଇଯାଇଥିବା କଥା ୨୦୧୮ ଅକ୍ଟୋବର ୨୧ ରବିବାର ଦିନ ରିପୋର୍ଟ କରାଯାଇଥିଲା। ପରଦିନ ସକାଳେ ତା’ର ଶବ ୱାଙ୍ଗେଟି ବେଳାଭୂମିରୁ ଉଦ୍ଧାର କରାଯାଇଥିଲା।