ଟୁସୁ ପରବ: ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ

Jan 11, 2019 - 17:45
 207
ଟୁସୁ ପରବ: ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ
ବାରିପଦା,୧୧/୧(ଦିଲୀପ ମହାନ୍ତି): ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦ୍ୟାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇଥାଏ । ପର୍ବକୁ ୭ ଦିନ ବ୍ୟାପି ଆନନ୍ଦ ଉହ୍ଲାସର ସହିତ ପାଳନ କରାଯାଇ ଆସୁଥିବା ସହିତ ଧାନ ଉପôାଦନ ପରେପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷିକର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୃଷ୍ଠ ସମୟ ବୋଲି ବିବେଚନା କରାଯାଏ । ବିଶେଷ କରି ସଂକ୍ରାନ୍ତିଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଶ୍ରେଣୀର ଜନସାଧାରଣ ନିଜକୁ ସମସ୍ତ ଜଞ୍ଜାଳ ଏବଂ ସାହୁକାରଙ୍କଠାରୁ ଦୂରେଇ ରଖିବା ଅନୁଭବକୁ ମନୋରଞ୍ଜନଧର୍ମୀ ନାଚଗୀତ ମାଧ୍ୟମରେ କିଛି ଦିନ ପାଇଁ ଭୂଲି ଯିବାକୁ ଶ୍ରେୟଃ ମଣନ୍ତି । ଜିଲାରେ ମକର ଆସିବା ପୂର୍ବରୁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦିଏ । ସାପ୍ତାହିକ ହାଟ ସହିତ ବିଭିନ୍ନ ପାଡ଼ାରେ କୁକୁଡ଼ା ଲଢେ଼ଇ ସହିତ ପାରମ୍ପରିକ ଜୁଆଖେଳ, ନୂତନ ବସ୍ତ୍ର ପରିଧାନ ଓ ଆମିଷ ଭୋଜନର ମଜା ଉଠାଇଥାନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ମକର ସଂକ୍ରାନ୍ତକୁ ଏକ ଧର୍ମ ଓ କୃଷି ଭିତ୍ତିକ ପର୍ବ ଭାବେ ପାଳନ କରାଯାଇ ଆସୁଥିବା ସମୟରେ ମୟୂରଭଞ୍ଜ ଜିଲାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ପକ୍ଷରୁ ମକରକୁ ସତ୍ୟ, ଧର୍ମ ଓ ଆତ୍ମ ବିସର୍ଜନର ଦିବସ ଟୁସୁ ପର୍ବ ଭାବେ ପାଳନ କରାଯାଇଆସୁଛି । ଏହି ପର୍ବ ଅବସରରେ କୁଡ଼ୁମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଆସିଛି । ପର୍ବକୁ ଅତି ଆନନ୍ଦ ଉହ୍ଲାସର ସହକାରେ ପାଳନ କରିବା ନିମନ୍ତେ ଅର୍ଥ ଅଭାବରୁ ନିଜର ଚାଷ ଜମି ଆସବାପତ୍ର ଓ ଗହଣାଗାଣ୍ଠିକୁ ସାହୁକାରଙ୍କ ନିକଟରେ ବନ୍ଧକ ଦେବାକୁ ପଛେଇଯାଇ ନ ଥିବାର ଶୁଣିବାକୁ ମିଳିଥାଏ । ପର୍ବର ପାଳନକୁ ନେଇ ଏକ ଐତିହାସିକ ପୃଷ୍ଠଭୂମି ରହିଆସିଛି ଓ ଏହା ଏକ ହୃଦୟ ବିଦାରକ , ଅତ୍ୟନ୍ତ ଦାରୁଣ ଓ କରୁଣ ଘଟଣାବଳୀ । ନିଜ କୁମାରୀତ୍ୱ ରକ୍ଷା କରିବା ପାଇଁ କୁଡ଼ମୀ ସଂପ୍ରଦାୟର ରାଜକୁମାରୀଙ୍କ ଆତ୍ମବିସର୍ଜନର ଏହା ହେଉଛି ପ୍ରତୀକ ବୋଲି କୁହାଯାଏ । ତେଣୁ ଏହି କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ତୁସ୍ମନୀଙ୍କ ପ୍ରତିମାକୁ ତ୍ୟାଗ ଓ ଆତ୍ମବିସର୍ଜନର ମୂର୍ତ୍ତିମନ୍ତ ଦେବୀ ଭାବେ ବିବେଚନା କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମକର ସଂକ୍ରାନ୍ତି ଦିନ ତାଙ୍କ ସ୍ମୃତିରେ ନଦୀରେ ଭକ୍ତି ନୈବେଦ୍ୟର ଅର୍ଘ୍ୟ ଅର୍ପଣକରି ଆସୁଛନ୍ତି । କିନ୍ତୁ ଏହାର ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଭାବେ ନିଆରା । ବିଧି ଅନୁସାରେ କେବଳ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟର କୁମାରୀ କନ୍ୟାମାନେ କେବଳ ଦଳବଦ୍ଧ ଭାବେ ପାଳନ କରିଥାନ୍ତି । ପ୍ରତି ଦଳରେ ୪ରୁ ଅଧିକ କୁମାରୀ କନ୍ୟା ଯୋଗ ଦେଇ ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଜଣଙ୍କ ଘରେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି । ପୁରାଣ ତଥା ଐତିହାସିକ ଗାଥା ଉପରେ ଅଧାରିତ ବିଭିନ୍ନ ସଙ୍ଗୀତକୁ ସମ୍ମିଳିତ ସ୍ୱରରେ ଗାନ କରନ୍ତି । ଠିକ୍ ସଂକ୍ରାନ୍ତିର ପୂର୍ବ ଦିନରେ କୁମାରୀ କନ୍ୟାମାନଙ୍କର ଦଳ ଟୁସୁ ଦେବୀଙ୍କୁ ଘରକୁ ଘର ନେଇ ଅଭ୍ୟର୍ଥନା କରାଇଥାନ୍ତି । ଏହି ସମୟରେ ବିଭିନ୍ନ ଉପଢେ଼øକନ ଅଥବା ଉପହାରମାନ ପ୍ରଦାନ କରାଯାଉ ଥିବାର ଲକ୍ଷ୍ୟ କରାଯାଏ । ସାନ ଭଉଣୀର ଆଦରରେ ବୟସ୍କା ରମଣୀମାନେ କନ୍ୟା ଭାବେ ଶଙ୍ଖୋଳି ନେଉଥିବା ବେଳେ ନବ ବଧୂ ଓ ବୟସ୍କା ରମଣୀମାନେ ପିୟ ସଙ୍ଗିନୀ ଭାବେ ସମ୍ମାନ ଦେଇଥାନ୍ତି । ଏହି ଦିବସର ରାତିରେ ବ୍ରତଧାରୀ କନ୍ୟାମାନେ ମକର ଚାଉଳ ତଥା ପିଠାପଣା ସମର୍ପି ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ସାରା ରାତି ଅନିଦ୍ରା ରହି ପାରମ୍ପରିକ ଗୀତ ଓ ନୃତ୍ୟରେ ନିଜକୁ ହଜାଇ ଦେଇଥାନ୍ତି । ସଂକ୍ରାନ୍ତି ଦିନ ସମ୍ପୂର୍ଣ୍ଣ ଉପବାସ ଧାରଣ ପୂର୍ବକ ଟୁସୁ ପ୍ରତିମାକୁ ନିକଟସ୍ଥ ନଦୀ ଅଥବା ପୁଷ୍କରଣୀରେ ବିସର୍ଜନ କରାଇଥାନ୍ତି । ଏହି ବସର୍ଜନ ପର୍ବ ମଧ୍ୟ ନିଆରା ଢ଼ଙ୍ଗରେ ସମାପନ କରାଯାଇ ଥାଏ । ଆବାଳ-ବୃଦ୍ଧ-ବନୀତା ଏହି ବିସର୍ଜନ ପର୍ବର ଚିତାକର୍ଷକ ଦୃଶ୍ୟକୁ ଭରପୁର ଉପଭୋଗ କରିବା ସଂଗେସଂଗେ ନୃତ୍ୟଗୀତର ତାଳେତାଳେ ଝୁମି ଥାନ୍ତି । ନଦୀରେ ଦେବୀଙ୍କୁ ବିସର୍ଜନ କରାଯାଉଥିବା ବେଳେ ମାତୃସ୍ଥାନୀୟ ମହିଳାମାନେ ଦେବୀଙ୍କୁ ଶେଷ ଶ୍ରଦ୍ଧା ପ୍ରଦର୍ଶନ ପୂର୍ବକ ଅତୀତର ଆତ୍ମ ବିସର୍ଜନର ଗାଥାକୁ ଗାନ ପୂର୍ବକ ବାହୁନିବାର ଲକ୍ଷ୍ୟ କରାଯାଇ ଥାଏ । ମାତ୍ର ଏହି ସମୟରେ ବ୍ରତଧାରୀ କନ୍ୟାମାନେ ବୀରହାତ୍ମକ ଗୀତ ଗାନ କରି ଟୁସୁଙ୍କୁ ବିସର୍ଜନ କଲା ବେଳର ପରିବେଶ ଯେମିତି ସ୍ତବ୍ଧ ହୋଇଗଲା ଭଳି ଲାଗିଥାଏ । ପର୍ବର ପରିସମାପ୍ତି ପରେ ସମସ୍ତେ ଘରକୁ ଫେରିଥାନ୍ତି ଓ ଘରର ମୁରବୀମାନେ ଦିବସ ପାଳନର ଐତିହ୍ୟ , ମୂଲ୍ୟବୋଧ ତାତ୍ୱିକ ଦିଗଉପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଅବଗତ କରାଇଥାନ୍ତି