ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୩୧/୭(ସକାଳଖବର): ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପିପୁଲ୍ସ ଚଏସ୍ ଆୱାର୍ଡ ପାଇଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭାଗ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବୁଧବାର ଶ୍ରୀ ପାଣିଗ୍ରାହୀ ତାଙ୍କର ବିଧାନସଭା ପ୍ରକୋଷ୍ଠରେ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ କହିଥିଲେ, ସୁଦର୍ଶନ ପଟ୍ଟନାୟକ ଆମର ଗର୍ବ ଓ ଗୌରବ । ଓଡ଼ିଶା ବାଲୁକା ଭାସ୍କର୍ଯ୍ୟକୁ ସେ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିପାରିଛନ୍ତି । ଏହିପରି ଜଣେ ପ୍ରତିଭାଦୀପ୍ତ କଳାକାରଙ୍କ କଳାତ୍ମକ ସର୍ଜନା ନିକଟରେ ଏ ଔପ·ରିକତା ନିଶ୍ଚୟ କମ୍ । ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ତାଙ୍କର ଉତରୋତର ଉନ୍ନତି କାମନା କରିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆମେରିକାର ବୋଷ୍ଟନ୍ ସହରରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ବାଲୁକା ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆମ ରାଜ୍ୟ ତଥା ଦେଶ ଏବଂ ସମଗ୍ର ଏସିଆ ମହାଦେଶରୁ ଜଣେ ହିଁ ଶିଳ୍ପୀ ଭାବରେ ପ୍ରତିନିଧିତ୍ୱ କରି "ପିପୁଲ୍ସ ଚଏସ୍ ଆୱାର୍ଡ' ଲାଭ କରିଥିଲେ ।
ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ବେଲ୍ଜିୟମ୍, ଋଷିଆ, ହଲାଣ୍ଡ, ଫ୍ରାନ୍ସ ଆଦି ୮ଗୋଟି ରାଷ୍ଟ୍ରରୁ ଶ୍ରେଷ୍ଠ ୧୫ ଜଣ ବାଲୁକା ଶିଳ୍ପୀ ଏଥିରେ ଭାଗ ନେଇଥିଲେ । ଶ୍ରୀ ସୁଦର୍ଶନ ପଟ୍ଟନାୟକ "ଷ୍ଟପ୍ ପ୍ଲାଷ୍ଟିକ୍ ପଲୁ୍ୟସନ୍ ଏଣ୍ଡ ସେଭ୍ ଆୱାର ଓସେନ୍' (ପ୍ଲାଷ୍ଟିକ୍ ପ୍ରଦୂଷଣ ବନ୍ଦ କରିବା: ଆମ ମହାସାଗର ଓ ପୃଥିବୀକୁ ସୁରକ୍ଷିତ ରଖିବା) ଥିମ୍ ଉପରେ ତାଙ୍କର ଭାସ୍କର୍ଯ୍ୟ ପ୍ରଦର୍ଶନ କରିଥିଲେ । ଆମେରିକାର ରେଭ୍ରେ ବିଚ୍ ଇଂଟରନ୍ୟାସନାଲ୍ ସ୍ୟାଣ୍ଡ୍ ସ୍କଲପ୍ଟିଂ ଫେଷ୍ଟିଭାଲ୍ର ଚଳିତ ବର୍ଷ ହେଉଛି ୧୬ତମ ସଂସ୍କରଣ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅଛନ୍ତି ।
ଆଜିର ଏହି ସମ୍ବର୍ଦ୍ଧନା ପର୍ବରେ ସଂସ୍କୃତି ବିଭାଗ ନିଦେ୍ର୍ଧଶକ ଶ୍ରୀ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ଶାସନ ସଚିବ ଡ. ରାମକୃଷ୍ଣ ସାହୁ ଓ ଯୁଗ୍ମ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଓ ଲଳିତ କଳା ଏକାଡେମୀର ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।