ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର,୫/୮(ସକାଳଖବର): ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଆଜି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଂଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଧାନସଭା ପ୍ରାଙ୍ଗଣରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଞ୍ଚାଞ୍ଜଳି ଜ୍ଞାପନ କରିଥିଲେ । ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ବିରୋଧି ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଧାନସଭାର ମାନ୍ୟବର ସଦସ୍ୟ, ପୂର୍ବତନ ସଦସ୍ୟ, ଉକ୍ରଳ ସମ୍ମିଳନୀର କର୍ମକର୍ତ୍ତା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମହାନ ବରପୁତ୍ରଙ୍କ ପ୍ରତି ଶ୍ରଞ୍ଚାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଓଡ଼ିଶା ବିଧାନସଭା ପକ୍ଷରୁ ଏକ ତର୍କ ପ୍ରତିଯୋଗିତା ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଆଶୁତୋଷ କର ପ୍ରଥମ, ୟୁନିଟ୍-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ସିଜଲ ସାହୁ ଦ୍ୱିତୀୟ, ଭୀମଟାଙ୍ଗି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ର ପବିତ୍ର କୁମାର ପଣ୍ଡା ତୃତୀୟ ସ୍ଥାନ ଅଧିକାରୀ କରିଥିଲେ । ସେମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶାଶ୍ୱତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସ୍ମୃତିରେ ଏକ ସଙ୍ଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ବିଧାନସଭାର କର୍ମ•ରୀମାନେ ଉପସ୍ଥିତ ଥିଲେ ।