ଟୁଟିକୋରିନ ପ୍ରତିଧ୍ୱନୀ ଲାଞ୍ଜିଗଡ଼ରେ

Jun 13, 2018 - 15:30
 185
ଟୁଟିକୋରିନ ପ୍ରତିଧ୍ୱନୀ ଲାଞ୍ଜିଗଡ଼ରେ
ଲାଞ୍ଜିଗଡ଼,୧୩୬ (ରଏଟର): ତାମିଲନାଡ଼ୁର ଟୁଟିକୋରିନଠାରେ ବ୍ୟାପକ ପ୍ରଦୂଷଣ ଯୋଗୁଁ ବେଦାନ୍ତର ତମ୍ବା କାରଖାନା ବନ୍ଦ ହେବା ପରେ ଏବେ କଂପାନୀର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ବିଶୋଧନାଗାର ସଂପ୍ରସାରଣ ନେଇ ଅନିଶ୍ଚିତା ଦେଖାଦେଇଛି । ରାୟଗଡ଼ା ଜିଲ୍ଲାର ଲାଞ୍ଜିଗଡ଼ଠାରେ ବେଦାନ୍ତ ବକ୍ସସାଇଟ ବିଶୋଧନ କାରଖାନା ପ୍ରତିଷ୍ଠା କରିଛି । ଏବେ ଏହି କାରଖାନା ସଂପ୍ରସାରଣ କରି ବିଶୋଧନ କ୍ଷମତା ବୃଦ୍ଧି ପାଇଁ ବେଦାନ୍ତ ଯୋଜନା କରୁଛି । କିନ୍ତୁ ଟୁଟିକୋରିନ ଘଟଣା ପରେ ଏହି ସଂପ୍ରସାରଣ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ପୂର୍ବରୁ ଏଠାରେ ବେଦାନ୍ତର ଖଣି ଖନନ କାର୍ଯ୍ୟକୁ ନିୟମଗିରି ଅଧିବାସୀ ମୁଖ୍ୟତଃ ଡ଼ଙ୍ଗରିଆ କନ୍ଧ ଆଦିବାସୀ ବିରୋଧ କରି ଆନେ୍ଦାଳନ କରିଥିଲେ । ଫଳରେ ନିୟମଗିରି ପାହାଡ଼ରେ ବେଦାନ୍ତ ଖଣି ଖନନ କାର୍ଯ୍ୟ କରିପାରିନଥିଲା । ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକିଦେବା ପ୍ରସ୍ତାବକୁ ତକ୍ରାଳୀନ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ମଧ୍ୟ ବିରୋଧ କରିଥିଲେ । ପରିବର୍ତ୍ତିତ ପରିସ୍ଥିତିରେ ବେଦାନ୍ତ ଏଠାରେ ଆଲୁମିନା ବିଶୋଧନାଗାର ସଂପ୍ରସାରଣ ପାଇଁ ଯୋଜନା କରୁଥିବାବେଳେ ଟୁଟିକୋରିନ ଘଟଣା ଏଥିରେ କଣ୍ଟା ହୋଇଛି । ଟୁଟିକୋରିନଠରେ ତମ୍ବା ବିଶୋଧନାଗାର ଯୋଗୁଁ ବ୍ୟାପକ ପ୍ରଦୂଷଣ ହେବାରୁ ଗତମାସରେ ସ୍ଥାନୀୟ ଜନସାଧାରଣ ଏହା ବିରୋଧରେ ଆନେ୍ଦାଳନ କରିଥିଲେ । ଏହି ଆନେ୍ଦାଳନକାରୀଙ୍କ ଉପରକୁ ପୁଲିସ ଗୁଳିଚାଳନା କରିବାରୁ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଏହାପରେ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ତାମିଲନାଡ଼ୁ ସରକାର ଏହି କାରଖାନା ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଡ଼ଙ୍ଗରିଆ କନ୍ଧ ସମାଜ ପକ୍ଷରୁ କୁହାଯାଇଛି ଯେ, ବେଦାନ୍ତ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରେ । କିନ୍ତୁ ନିୟମଗିରି ସେମାନଙ୍କୁ ସବୁକିଛି ଦେଇଛି । ତେଣୁ ନିୟମଗିରିର ମୃତ୍ୟୁ ସେମାନଙ୍କ ଶବ ଉପରେ ହେବ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି । ତେଣୁ ଟୁଟିକୋରିନ ଘଟଣା ପରିପ୍ରେକ୍ଷୀରେ ନିୟମଗିରି କନ୍ଧ ସମାଜ ମଧ୍ୟ ଏକ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।