ଟାଟା ଷ୍ଟିଲ ପକ୍ଷରୁ ବର୍ଷା ଦିନିଆ ରୋଗ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

Jul 15, 2018 - 14:36
 152
ଭୁବନେଶ୍ୱର, ୧୪/୭: ଗୋମାରଡ଼ିହ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସୋସାଇଟି ପକ୍ଷରୁ ଟୁନମୁରା ମିଶନ ପ୍ରାଥମିକ ବିଦ୍ୟାଳୟଠାରେ ଗତ ୧୨ ତାରିଖରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବର୍ଷା ଋତୁରେ ଜଳବାହିତ ରୋଗ ସଂପର୍କରେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଶିବିରର ଲକ୍ଷ୍ୟ । ଶିବିରରେ ୮୦ ଜଣ ଛାତ୍ରଛାତ୍ର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଟାଟା ଜିଡ଼ିକ୍ୟୁ ହସପିଟାଲର ବରିଷ୍ଠ ରେଜିଷ୍ଟର ଡ଼ାକ୍ତର ଏସ୍.କେ.ଦେ ଯୋଗଦେଇ ପିଲାମାନଙ୍କୁ ମ୍ୟାଲେରିଆ, ଡେ଼ଙ୍ଗୁ, ଟାଇଫଏଡ଼, ଝାଡ଼ାବାନ୍ତି ଆଦି ବର୍ଷା ଦିନିଆ ରୋଗ ସଂପର୍କରେ ବୁଝାଇଥିଲେ । ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପିଲାମାନେ କିପରି ସ୍ୱାସ୍ଥ୍ୟରକ୍ଷା କରିବେ ସେ ସଂପର୍କରେ ବୁଝାଇଥିଲେ । ଏହାର ନିରାକରଣ ସ୍ୱରୂପ ଶୌଚାଳୟ ବ୍ୟବହାର, ଜଳ ଜମାଟ କରି ନରଖିବା ଓ ମଶାରୀ ବ୍ୟବହାର ପାଇଁ ପିଲାମାନଙ୍କୁ କୁହାଯାଇଥିଲା । ଝାଡ଼ାବାନ୍ତିର ପ୍ରଥମିକ ଚିକିତ୍ସା ଭାବେ ଓଆରଏସ୍ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ । ଢ଼ାଙ୍କୁଣି ଦିଆଯାଇ ରଖାଯାଇନଥିବା ଓ ବାସି ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏଥିସହ ଖାଦ୍ୟ ଖାଇବା ପୂର୍ବରୁ ଏକାଧିକ ଥର ହାତ ଧୋଇବା, ବର୍ଷା ସମୟରେ ଛତା ବ୍ୟବହାର କରିବା, ସପ୍ତାହରେ ଥରେ ସ୍କୁଲ ପୋଷାକ ଧୋଇବା, ମଶା ଦାଉରୁ ରକ୍ଷା ପାଇବା ପାଇଁ ଫୁଲ ପ୍ୟାଣ୍ଟ, ଫୁଲ ସାର୍ଟ ଓ ଟୋପି ପିନ୍ଧିବା, ମଶା ଧୂପ ବ୍ୟବହାର କରିବା, ଚପଲ ଓ ଜୋତା ପିନ୍ଧିବା, କ୍ଷତ ସ୍ଥାନକୁ ବନ୍ୟଜଳ ସ୍ପର୍ଶରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ତିର୍କୀ ଏହି ସଚେତନତା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସୋସାଇଟି ୟୁନିଟ ମୁଖ୍ୟ ସଞ୍ଜୟ ସର୍ଦ୍ଧାର କହିଥିଲେ ଯେ, ବର୍ଷାଦିନିଆ ରୋଗର ନିରାକରଣ ପାଇଁ ପିଲାଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି । ସୋସାଇଟି ପକ୍ଷରୁ ଆଗାମୀ ଦିନରେ ଏପ୍ରକାର କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୋପାଳ ଘୋଷ, ସୁବ୍ରତ ଚକ୍ରବର୍ତ୍ତୀ ଓ ଅନୁରଞ୍ଜନ ଟପ୍ପୋ ଅଂଶଗ୍ରହଣ କରିଥିଲେ ।