‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

Sep 6, 2022 - 07:07
 51
‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ବର: ‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧ଟାରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବରରେ ରହିଛନ୍ତି।ନାଚ,ଗୀତ ଓ ପାରମ୍ପରିକ ବାଦ୍ୟରେ ପରିବେଶ କମ୍ପୁଛି। ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯିବେ। ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ବି କରିବେ ।ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି। ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।