ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ପଦବୀ ପୂରଣ ପାଇଁ ଦାବି
କଟକ, ୩୦ା୫/(ସକାଳଖବର): କଟକ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ପଦବୀଗୁଡିକ ଖୁବଶୀଘ୍ର ପୂରଣ କରିବାକୁ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ତରଫରୁ ଦାବି ହୋଇଛି । ଆଜି ସିଟି ହସ୍ପିଟାଲ ସଭାଗୃହରେ ସମସ୍ତ ଜୋନର ସମ୍ପାଦକ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କ ତରଫରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗ୍ରୁପ ଡି କର୍ମଚାରୀ ଖାଲିଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଆଠଗଡ ଚିକିତ୍ସାଳୟ, ଉପଖଣ୍ଡ ବାଙ୍କୀ ଚିକିତ୍ସାଳୟ, ସିଟି ହସ୍ପିଟାଲ ସମେତ ସମସ୍ତ ସ୍ଥାନରେ ଖାଲିଥିବା ପଦବୀ ପୂରଣ କରାଯିବା, ଗ୍ରୁପ ଡି କର୍ମଚାରୀମାନଙ୍କର ଚାକିରୀ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ବାଙ୍କୀ ଓ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ସଂଘର କାର୍ଯ୍ୟାଳୟ ନିମେନ୍ତ ଗୃହ, ଠିକା କର୍ମଚାରୀ ବନ୍ଦ କରାଯାଇ ସ୍ଥାୟୀ ନିଯୁକ୍ତି ଦିଆଯିବା, ସିଟି ହସ୍ପିଟାଲ ଓ ପାଖାପାଖି ଅଞ୍ଚଳରେ କାର୍ଯ୍ୟ କରୁଥିବା ଗ୍ରୁପ ଡି କର୍ମଚାରୀମାନଙ୍କୁ ନୂତନ ବାସଗୃହ ଯୋଗାଇ ଦିଆଯିବାକୁ ଦାବି ହୋଇଥିଲା । ସେହିଭଳି ଗ୍ରୁପ ଡି କର୍ମଚାରୀମାନଙ୍କୁ ଠିକ ସମୟରେ ମାସିକ ବେତନ ଦେବାସହ ମାଟ୍ରିକ ପାସ କରିଥିବା ଗ୍ରୁପ ଡି କର୍ମଚାରୀମାନଙ୍କୁ ଗ୍ରେଡେସନ ତାଲିକା ଅନୁସାରେ ପଦୋନ୍ନତି ଦିଆଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଯେଉଁମାନେ ମେଡିକାଲରେ ଠିକା କର୍ମଚାରୀଭାବେ ୬ବର୍ଷରୁ ଉଦ୍ଧ୍ୱର୍ ସମୟଧରି ଚାକିରୀ କଲେଣି, ସେମାନଙ୍କୁ ସ୍ଥାୟୀ କରାଯିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା । ପୁନଶ୍ଚ ରଞ୍ଜନରଶ୍ମି ବିଭାଗ ଓ ଯକ୍ଷ୍ମା ବିଭାଗରେ କାର୍ଯ୍ୟରତ ଗ୍ରୁପ ଡି କର୍ମଚାରୀମାନଙ୍କର ବିପଦକାଳୀନ ଭତ୍ତା ବୃଦ୍ଧି, କଟକ ଜିଲ୍ଲାର ଗ୍ରୁପ ଡି ସରକାରୀ କର୍ମଚାରୀମାନଙ୍କର ଅକାଳ ବିୟୋଗ ହେଲେ ପୂନଃ ଥଇଥାନ ଯୋଜନା ମୁତାବକ ସେହି କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟକୁ ସ୍ଥାୟୀ ନିଯୁକ୍ତି ସିଧାସଳଖ ପ୍ରଦାନ କରାଯିବା, ଡ୍ରେସର, ଜମାଦାର ପଦବୀ ହେଡକ୍ୱାର୍ଟର ଓ ୨ଗୋଟି ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତି ଦିଆଯିବା, ହେଡକ୍ୱାର୍ଟରରେ ରେଡିଓଲୋଜିଷ୍ଟ ପଦବୀରେ ସ୍ଥାୟୀ ନିଯୁକ୍ତି କରାଯିବା ସହ ଇଏନଟି, ଚର୍ମ ବିଭାଗରେ ବିଶେଷଜ୍ଞ ପଦବୀ ଶୀଘ୍ର ପୂରଣ କରାଯାଉବୋଲି ବୈଠକରେ ଦାବି ହୋଇଥିଲା । ବୈଠକରେ କଟକ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୋଚ୍ଛାୟତ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।