ଜାଲ ଟିଡିଆର ମାମଲା: ସିଡି ଦାଖଲ ନିଦେ୍ର୍ଧଶ

May 31, 2018 - 06:15
 197
କଟକ, ୩୧ ।୫(ସକାଳଖବର): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜାଲ ଟର୍ମ ଡିପୋଜିଟ ରସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା ହାନି କରିଥିବା ଅଭିଯୋଗକ୍ରମେ ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲା ପୁଣି ଥରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେସିଙ୍ଗା ପୁଲିସର ଏକ ମାମଲାରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୬ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଜାଲ ୧୦ଲକ୍ଷ ଟଙ୍କାର ଟିଡିଆର ଦେଇ ରାଜେନ୍ଦ୍ର କାମ ହାତେଇଥିଲେ । ଏପରି ଅଭିଯୋଗ ଆସିବା ପରେ କଳାହାଣ୍ଡି ଜିଲା କେସିଙ୍ଗା ଥାନା ପୁଲିସ ରାଜେନ୍ଦ୍ର ନାଁରେ ଏକ ମାମଲା ରୁଜୁ କରିଥିଲା । ତେବେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ ରାଜେନ୍ଦ୍ର ଅଗ୍ରୱାଲା କୋଟିକୋଟି ଟଙ୍କା ରାଜସ୍ୱ ହାନି କରିଥିବା ଜଣାପଡିବା ପରେ କଣ୍ଟାବା‚ô, ନୂଆପଡା, ଧର୍ମଗଡ଼, ଖଡିଆର, ଭବାନୀ ପାଟଣା ନିର୍ବାହୀ ଯନ୍ତ୍ରୀଙ୍କ ଏତଲାକ୍ରମେ ପୁଲିସ ଆବେଦନକାରୀଙ୍କ ସମେତ ସ୍ପେଶାଲ କ୍ଲାସ ଠିକାଦାର ତଥା ତାଙ୍କ ପୁଅ ବଣ୍ଟି ଅଗ୍ରୱାଲା ଓ ଏ କ୍ଲାସ ଠିକାଦାର ତଥା ତାଙ୍କ ବୋହୂ ସବିତା ଅଗ୍ରୱାଲାଙ୍କୁ ଗତ ନଭେମ୍ବର ମାସ ୧୫ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ପୁଲିସ ପକ୍ଷରୁ ବଣ୍ଟି ନାମରେ ୧୧ଟି ମାମଲା ରୁଜୁ ହୋଇଥିବାବେଳେ ରାଜେନ୍ଦ୍ରଙ୍କ ନାମରେ ୭ ଓ ବୋହୂ ସବିତା ନାଁରେ ୩ଟି ମାମଲା ଦାୟର ହୋଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା । ତେବେ ରାଜେନ୍ଦ୍ର ୭ଟି ମାମଲାରେ ହାଇକୋର୍ଟରୁ ନିୟମିତ ଜାମିନ ପାଇଛନ୍ତି ।