ଗିରଫଦାରୀ ନକରିବାକୁ ଏସ୍ପିଙ୍କୁ ଦାବୀପତ୍ର ଦେଲା କଂଗ୍ରେସ ଓ ଭାଜପା

Oct 26, 2018 - 16:01
 192
ଗିରଫଦାରୀ ନକରିବାକୁ ଏସ୍ପିଙ୍କୁ ଦାବୀପତ୍ର ଦେଲା କଂଗ୍ରେସ ଓ ଭାଜପା
ଅନୁଗୋଳ , ୨୬/୧୦ (ସକାଳଖବର): ଏପଟେ ବାଘୁଣୀର ଆତଙ୍କ ସେପଟେ ପୋଲିସର ଗିରଫଦାରୀ ।ଏହାକୁ ନେଇ ସାତକୋଶିଆ ଅଞ୍ଚଳବାସୀ ଏବେ ଭୟ ଓ ଆତଙ୍କର ବାତାବରଣ ଦେଇ ଦିନ କାଟୁଛନ୍ତି । ବାଘକୁ ନେଇ ଅଞ୍ଚଳବାସୀ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗ ଅଣଦେଖା କରିଥିଲା । ଯଦ୍ୱାରା ଟାଇଁସି ଘଟଣା ପରେ ଜାତୀୟ ରାଜପଥରେ ରାସ୍ତାରୋକ ବେଳେ ପୋଲିସ ଜନତା ମଧ୍ୟରେ ଘଟିଥିଲା ସଂଘର୍ଷ ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ଉଗ୍ରରୂପ ନେବାରେ ଲଗିଛି । ଆଉ ପୋଲିସ ରୋଷର ଶିକାର ହେବାକୁ ଯାଉଛନ୍ତି ନିରୀହ ଗାଁ ଲୋକ । ଗତକାଲି ପୋଲିସ ଏହି ଘଟଣାରେ ୧୯ ଜଣଙ୍କୁ ଗିରଫ କରି ସାରିଛି । ଆଗକୁ ଆହୁରି ଗିରଫ କରିବା ଆଶଙ୍କା ରହିଛି । ତେଣୁ ଏହି ଗିରଫଦାରୀ ଘଟଣାକୁ କଂଗ୍ରେସ ଓ ଭାଜପା ପ୍ରତିବାଦ କରିଛନ୍ତି । ଏନେଇ ଆଜି ଉଭୟଙ୍କ ପକ୍ଷରୁ ଗିରଫଦାରୀ ନ କରିବା ପାଇଁ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟିବା ସହ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ପକ୍ଷରୁ ଜିଲା ସଭାପତି ବିପ୍ଲବ ଜେନା, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଇଂ. ସସ୍ମିତା ବେହେରା, ଜିତେନ୍ଦ୍ର ସାହୁ, ବିଜୟାନନ୍ଦ ଚାଉଳିଆ ପ୍ରମୁଖ ଭେଟି ଦାବୀପତ୍ର ଦେଇଥିଲେ । ଠିକ ସେହିଭଳି ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ମୀନକେତନ ଅମାନ୍ତ, ନମିତା ଦଳବେହେରା, ଅଗସ୍ତୀ ବେହେରା, ଯଯାତୀ ପଟ୍ଟନାୟକ, ରୋଜାଲିନ ଦାସଙ୍କ ସମେତ ଶତାଧିକ କର୍ମୀ ଯାଇ ଏସ୍ପିଙ୍କୁ ଦାବୀପତ୍ର ଦେଇଥିବା ଜଣାଯାଇଛି ।ସୂଚନା ଯେ ବାଘୁଣୀ ଭୟରେ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକ ଭୟଭୀତ ଅବସ୍ଥାରେ ଜୀବନ କାଟୁଛନ୍ତି । ମାତ୍ର ବନ ବିଭାଗର ଟ୍ରାଙ୍କୁଲାଇଜ କରିବା ଏକ ପ୍ରହୋସନ ହୋଇଥିବା ବେଳେ ବାଘୁଣୀ ଭୟ ଲୋକଙ୍କୁ ଆହୁରୀ ଆତଙ୍କିତ କରିଛି ବୋଲି କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରା ଅଭିଯୋଗ କରିଛନ୍ତି