ଗିରଫ ହେଲେ ମହାରଥୀ

Apr 22, 2019 - 09:58
 173
ଗିରଫ ହେଲେ ମହାରଥୀ
ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗିରଫ । ପିପିଲି ପୋଲିସ ଏବେ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ସେ ଥାନାରେ ହାଜର ହୋଇଥିଲେ ଓ ପୋଲିସ ତାଙ୍କୁ ପଚରା ଉଚରା ପରେ ଗିରଫ କରିଛି ।ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏଥିରେ ତିନି ଟିମ୍‌ର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମ୍‌ର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛନ୍ତି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭୋଟର୍‌ଙ୍କ ପାଇଁ ଭୋଜିଭାତର ଆୟୋଜନ କରିଥିବାର ଅଭିଯୋଗ ଆଣିଥିଲେ ଆହତ ମାଜିଷ୍ଟ୍ରେଟ । ତାଙ୍କ କହିବା ଅନୁଯାୟୀ ସେଠାରେ ଟଙ୍କା ବଣ୍ଟାଯିବାର ମଧ୍ୟ ଯୋଜନା ରହିଥିଲା। ଖବର ପାଇ ମିଳିତ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ସମ୍ପୃକ୍ତ ନେତାଙ୍କ ସମର୍ଥକମାନେ ଟିମ୍‌ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଦୁଇଟି ଭିଡିଓ କ୍ୟାମେରାକୁ ପିଟି ଭାଙ୍ଗି ଦେଇଥିଲେ ।