କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

Sep 14, 2021 - 14:19
 85
କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା
ନୂଆଦିଲ୍ଲୀ: ଶ୍ରୀଲଙ୍କାର କିମ୍ବଦନ୍ତୀ ପେସ୍ ବୋଲର ଲାସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ମାଲିଙ୍ଗାଙ୍କର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଗୁଡବାଏ କରିସାରିଥିବା ମାଲିଙ୍ଗା ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ପେସର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ତିନୋଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଏବଂ ଟି-୨୦ରେ ୧୦୭ ୱିକେଟ୍ ରହିଛି। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମାଲିଙ୍ଗା ଟପ୍ ୱିକେଟ୍ ଟେକର ବୋଲର ଅଛନ୍ତି। ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେଆର୍ କରି ମାଲିଙ୍ଗା କହିଛନ୍ତି, ଗତ ୧୭ ବର୍ଷ ଧରି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି, ତାହା ଏବେ ଆଉ ମଇଦାନରେ ଆବଶ୍ୟକ ନାହିଁ। କାରଣ ମୁଁ ସବୁ ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ଟି-୨୦ କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି। ଏବେ ମୋ ଜୋତା ଆରାମରେ କାମ କରିବେ। ହେଲେ କ୍ରିକେଟ୍ ପ୍ରତି ମୋର ଭଲପାଇବା କେବେବି ଆରାମ କରିପାରିବ ନାହିଁ।