କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିବେ ବାବର !
ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ସିରିଜ୍ ପାଇଁ ଇଣ୍ଡିଜ୍ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି । ସେମାନଙ୍କର ନୂତନ ଅଧିନାୟକ ନିକୋଲାସ ପୁରାନଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଦଳ ଏଥର ଇତିହାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇ । ୧୯୯୧ ମସିହାରୁ ଗତ ୩୧ ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପାକିସ୍ତାନ ବିପକ୍ଷରେ ଏକ ଦିନିକିଆ ସିରିଜ୍ ଜିତି ନାହିଁ ଏବଂ ଏଭଳି ପରିସ୍ଥିତିରେ ଦଳକୁ ଏଥର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି । ୱେଷ୍ଟଇଣ୍ଡିଜ୍ ବ୍ୟତୀତ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ମଧ୍ୟ ଏହି ସିରିଜରେ ଇତିହାସ ସୃଷ୍ଟି କରିବାର ସୁଯୋଗ ମିଳିବ । ଏହି ସିରିଜରେ ବାବର ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ବଡ ରେକର୍ଡ ଭାଙ୍ଗିପାରନ୍ତି ।
ଯଦି ବାବର ଆଜମ ଦିନିକିଆ ସିରିଜରେ ୯୮ ରନ୍ କରନ୍ତି, ତେବେ ସେ ଅଧିନାୟକ ଭାବରେ ୧୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହେବେ । ବାବର ଏହା କରିବା ମାତ୍ରେ ବିରାଟଙ୍କ ରେକର୍ଡ ଭାଙ୍ଗିବେ । କୋହଲି ଅଧିନାୟକ ଭାବରେ ଦିନିକିଆରେ ଦ୍ରୁତତମ ୧୦୦୦ ରନ୍ ସଂଗ୍ରହ କରିଛନ୍ତି । ସେ ମାତ୍ର ୧୭ ଇନିଂସରେ ଅଧିନାୟକ ଭାବରେ ୧୦୦୦ ରନ୍ ପୂରଣ କରିଥିଲେ । ବାବର ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ୧୨ଟି ଇନିଂସରେ ମୋଟ ୯୦୨ ରନ୍ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ବିରାଟଙ୍କ ରେକର୍ଡ ଭାଙ୍ଗିବା ପାଇଁ ବାବରଙ୍କ ପାଖରେ ବର୍ତ୍ତମାନ ସୁଯୋଗ ରହିଛି ।
୨୦୧୩ ରେ ୧୮ ଇନିଂସରେ ଏବି ଡି ଭିଲିୟର୍ସ, ୨୦୧୬ ରେ ୨୦ ଇନିଂସରେ କେନ ୱିଲିୟମସନ, ୨୦୧୨ ରେ ୨୧ ଇନିଂସରେ ଆଲଷ୍ଟାୟର କୁକ, ୨୦୦୦ରେ ୨୨ ଟି ଇନିଂସରେ ସୌରରଭ ଗାଙ୍ଗୁଲି, ୨୦୦୯ ରେ କ୍ରିସ ଗେଲ ୨୩ ଇନିଂରେ ଓ ୨୦୧୫ ରେ ୨୩ ଇନିଂସରେ ଅଧିନାୟକ ଭାବରେ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିଲେ ।
ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୮ ରେ ଖେଳାଯିବ । ଏହା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜୁନ୍ ୧୦ ଏବଂ ୧୨ ରେ ଖେଳାଯିବ । ଏହି ସିରିଜ୍ ଗତ ବର୍ଷ ଡିସେମ୍ବରର ଏକ ଅଂଶ, ଯାହା ସମ୍ପୂର୍ଣ୍ଣ ହୋଇନଥିଲା । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୩-୦ରେ ପରାସ୍ତ କରିଛି । ପାକିସ୍ତାନ ପାଇଁ ବାବର ଆଜାମଙ୍କୁ ପୁଣିଥରେ ଘରୋଇ ମାଟିରେ ସିରିଜ୍ ଜିତିବାର ସୁଯୋଗ ରହିଛି ।