କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Nov 19, 2018 - 18:27
 159
କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର,୧୯/୧୧ (ସକାଳଖବର); ଅନୁସୂଚିତ ଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ମାଟ୍ରିକ ପରର ଛାତ୍ରବୃତିରେ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅଂଶର ପାଟର୍ନକୁ ବଦଳାଇବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥାବର ଚନ୍ଦ ଗେହଲୋତଙ୍କୁ ପତ୍ର ଲେଖି ଏହାକୁ ପୁଣି ଥରେ ପୁରୁଣା ପାଟର୍ନକୁ ଆଣିବାକୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି ପତ୍ରରେ ଶ୍ରୀ ପଟନାୟକ କହିଛନ୍ତି ଯେ ଅନୁସୂଚିତ ଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ମାଟ୍ରିକ ପରର ଛାତ୍ରବୃତି ପାଇଁ ୨୦୧୬-୧୭ଆର୍ଥିକ ବର୍ଷ ଯାଏ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଦେବାକୁ ପଡୁଥିଲା । ଏହି ଯୋଜନାରେ ୨ ଲକ୍ଷ ଛାତ୍ର- ଛାତ୍ରୀ ଉପକୃତ ହେଉଥିବା ବେଳେ କେନ୍ଦ୍ର ସରକାର ୨୧୫.୮୦ କୋଟି ଟଙ୍କା ଦେଇଥିଲେ । ରାଜ୍ୟ ସରକାର ତାଙ୍କ ଅଂଶ ଭାବେ ୨୨.୧୮ କୋଟି ଦେଇଥିଲେ । ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୭-୧୮ରେ କେନ୍ଦ୍ର – ରାଜ୍ୟ ଅଂଶର ପାଟର୍ନକୁ ବଦଳା ଯାଇଛି । ଏଥିରେ ରାଜ୍ୟ ସରକାରଙ୍କୁ ୮୦ ପ୍ରତିଶତ ଓ କେନ୍ଦ୍ର ସରକାରଙ୍କୁ ୨୦ ପ୍ରତିଶତ ଅଂଶ ଦେବାକୁ ପଡିବ । କେନ୍ଦ୍ର- ରାଜ୍ୟ ଅଂଶର ପାଟର୍ନକୁ ଅଚାନକ ବଦଳାଇବା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଛାତ୍ର ବୃତି ଯୋଜନାକୁ ଏକ ଧକ୍କା ଦେଇଛି । ତେଣୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ପୂୂର୍ବବର୍ତୀ ପାଟର୍ନକୁ ଜାରୀ ରଖିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ ।